Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

ଝରକା


ଗୋଟି ଗୋଟି କରି ସବୁ

ଦୂଆର ବନ୍ଦ ହେଲା ପରେ ,

ଖୋଲିବାକୁ ଲାଗିଲି

କାନ୍ଥ କଡ଼ର ଛୋଟିଆ ଝରକାକୁ ।

ଜାମ ହୋଇ ପଡିଛି ଅନେକ ଦିନରୁ ,

ତାଲା ଶିକୁଳି ଓ ଛିଟିକିଣି ।

ଟିକେ ପବନ ପାଇଁ

ଜୋର କରି ଖୋଲି ଦେଲି,

କାକର ମିଶା ହାଲୁକା ନିଶ୍ଵାସ

ଛାତିରେ ନେବାକୁ।

 

ଜୀବନର ଭିନ୍ନ ଭିନ୍ନ ରଙ୍ଗ

ଭାସିଆସେ ଝରକା କୋଣରୁ ,

ସକାଳର କଅଁଳିଆ ଖରା ,

ଚଢେଇ ଙ୍କ ନାନାବାୟା ଗୀତ,

ହେନା , ମଲ୍ଲି , ଗୋଲାପର ବାସ୍ନା ।

ଆସିଥିବେ ଆଗରୁ ହୁଏତ

ଘର ବନ୍ଧ ଡେଇଁ ।

ହେଲେ ଆଜି ନୂଆ କରି

ଖୋଲା ଝରକାରେ,

ଶୁଖିଲା ମନକୁ ମୋର ଯାଏ ଓଦା କରି ।

 

ବହୁ ଦିନ ଲାଗିଗଲା ନେବାକୁ ତା ସ୍ଵାଦ

ରୁଦ୍ଧ ଗୃହେ ବିତାଇଲି ଅନେକ ବସନ୍ତ ।

ଝରକାରେ ଦେଖିନିଏ ଆଗାମୀ ଜୀବନ ,

ଗଢିନିଏ ଜୀବନର ଅସଜଡା ଗ୍ରନ୍ଥ ।

ଡେଣା ଦେଇ ଏ ମନକୁ

ଦିଏ ମୁଁ ଉଡାଇ ,

ପ୍ରାଣ ଦେଇ ଛାଡି ଦିଏ

ଆକାଶକୁ ଚିରି ,

ଦେଖି ନେଉ ସବୁ କିଛି ଝରକା ଫାଙ୍କରେ

ସାଗର କୋଳରୁ ନେଇ ,

ସୃଷ୍ଟି ର ବାହାରେ ।

 

ଝରକାରେ ଦିଶିଲାଣି ଚଉଁରା ତୂଲସି,

ଦୂର ଆମ୍ବ ତୋଟା ଦେଇ

ଗଲେଣି ବାଟୋଇ ।

ପ୍ରକୃତି ର କୋଳାହଳେ ହଜେଇଲି ନିଦ ,

ଆଖି ମଳି ମଳି ଦେଖେ ସବୁ ଆଜି ସତ ।

ଯାତ୍ରା ମୋର ଅନେକ ଦୂରକୁ ,

ଜୀବନ କି ବାନ୍ଧି ପାରେ ଆଉ ସମୟକୁ ?

ନୂଆ କରି ବାଛିନିଏ ପଥ ଚାଲିବାକୁ ।

 

ଖୋଲା ଝରକାରେ ଆସେ ନୂଆ ଗୋଟେ ସ୍ଵପ୍ନ,

ସମ୍ଭାବନା ନୂଆ ପୃଥିବୀର ,

ନୂତନ ଉତ୍ସାହ ଦିଏ ନୂଆ କରି ଆଶା , 

ଅତୀତ କୁ ଭୁଲେଇଛି ଆଗାମୀ ଜିଙ୍ଗାସ। । 











Photo Gallery


+ -

©
Site designed,developed & maintained by Tekons