Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

କଟା ଡେଣା


ଆଜି କିଛି ଭଲ ଲାଗେନା

କଟା ଡେଣା ନେଇ ଉଡ଼ିବାକୁ

ସାହସ ବୁକେନା।

ଜଣେ ଜଣେ କରି ସବୁ ଗଲେ ଫେରି

ଜମାକଲା ଧନସବୁ

ସାଇତି ପାରୁନି,

ମନଖୋଲି କହିବି କାହାକୁ।

 

ମୋର ବୋଲି ଥିଲା ଯାହା

ଲୁଗା ଗଣ୍ଠିକରି ରଖିଥିଲି

ଛପର ଭିତରେ,

ସିନ୍ଦୁକ କଡ଼ିରେ

ଛାତି ଭିତରେ ଧକ୍‌ ଧକ୍‌ ହେଲା

ବଞ୍ଚିଅଛି ସ୍ମୃତି ମୋର ଏକା।

 

ମୋ ପାଇଁ ମୋ ଆଇନା

ହାତ ଠାରି ମାଗେ ପରିଚୟ

ସବୁ କିଛି ଯାଇଛି ବଦଳି

ଅଧୁରା ଶରୀର,

କାହିଁ ସେ ବାସନା।

 

ମୁକ୍ତି ପାଇଁ ଅନେକ ଉଦ୍ୟମ

ଇତିହାସ ପୃଷ୍ଠା ସବୁ ଧୂସର ନିରସ,

ହାତ-ଗୋଡ଼ ବନ୍ଧା ସବୁ

ଉଡ଼ିବାକୁ ଇଚ୍ଛା ସତେ ଅନେକ ଆକାଶ।

 

ଭାସିଯାଏ ଜୀବନ ନୌକା,

କହିଥିଲ ଯିବାକୁ ସାଥିରେ

ବରଦାସ୍ତ କରିବାକୁ ଲହଡ଼ିର ମାଳା।

କରିଥିଲ ପ୍ରାଣବାୟୁ ବୁକୁ ମୋର ଚିରି,

ଚାହିଁଥିଲି ଡେଣା ମେଲି

ଅଜଣା ବାଟକୁ,

ଅବିଶ୍ରାନ୍ତ ରାସ୍ତା ଆଉ ଶୂନ୍‌ଶାନ୍‌ ମରୁ,

ଗୋଲାପର ଶେଯ ନେଇ

ଆସିଥିଲ ଚଲାପଥ କରିବାକୁ

ସହଜ ସୁନ୍ଦର।

 

ବୁଝିବାକୁ ସହଜ ସମୀକ୍ଷା

ନେଇଗଲ ଚକ୍ରବ୍ୟୁହ କୋଳେ,

ଲାଗେ ଏବେ ବାଟସବୁ ରୁଦ୍ଧ,

ରକ୍ତାକ୍ତ ଶରୀର, ପ୍ରତାରିତ,

ଫେରିବାର ନାହିଁ କିଛି ବାଟ।

ରାତିସବୁ ଚୁପ୍‌ ହୋଇ ଦେଖେ

ରଙ୍ଗବୋଳା ମୁହଁ,

ନିଃସଙ୍ଗ ହେଲେ ବି ସେ କେତେ ଯେ’ ଜୀବନ୍ତ

ଅଭିନୟ ମଞ୍ଚେ।

 

ହାତ ଧରି, କୋଳ କରି

ଦେଇଥିଲି ତୋ ଆଖିରେ ଅନେକ ସପନ,

ଚାହିଁଥିଲି ଆଶା ଭରସାରେ

କରିବାକୁ ଆମ ବାଟ ସହଜ ସୁନ୍ଦର।

 

ସବୁ କିଆଁ ଭାରି ଭାରି ଲାଗେ,

ଝଙ୍କାଳିଆ ଗଛ କେବେ ଥିଲା

ଫୁଟିଥିଲା ଅନେକ ସୁମନ,

ଝଡ଼ିଥିଲା ପତ୍ରସବୁ, ଫୁଲ ଓ ପାଖୁଡ଼ା,

ତାତି ଖରା ବାତ୍ୟାର ଆଶଙ୍କା

ମେଘଢ଼ଙ୍କା ଆକାଶଟା ନେବ ନୂଆ ରଙ୍ଗ

ଆଣିଦେବ କାଲି ଏକ ନୂତନ ସକାଳ।

 











Photo Gallery


+ -

©
Site designed,developed & maintained by Tekons