ସୁଲୁସୁଲିଆ ପବନରେ ଖୋଜି ପାଇଲି
ଯାହା ପାଇ ନ ଥିଲି ହାଡ଼ଭଙ୍ଗା ପଚିଶି ବର୍ଷରେ,
ବରଷା ପାଣିରେ ତିନ୍ତି ତିନ୍ତି ପାଇଲି
ହଜେଇଥିବା ମୋ ପିଲାଦିନ,
ଯାହାକୁ ଦିନେ ଭସାଇଥିଲି
କାଗଜ ଡଙ୍ଗାରେ,
ଆଜି ତାକୁ ଧରି ରଖିଲି
ମୋ ଖୋଲା ଛାତିରେ।
ଖୋଲା ଆକାଶ ତଳେ
ଦେଖିନେଲି, ମିଂଜି ମିଂଜି ତାରାମେଳେ
ମୋ ହଜିଲା ସ୍ମୃତିକୁ
ଯାହାକୁ କେବେ ଭୁଲିଥିଲି
କୋଳାହଳମୟ ବଜାର-ହାଟରେ।
ମୁଣ୍ଡ ମାଡ଼ି ମାଟି ଗନ୍ଧୁ
ବାସ୍ନା ଦେଲି, ପୁରୁଣା ସ୍ବାଦର,
କେତେ ଦିନ ପରେ ପୁଣି ସେ
ବଢିଚୁରା,ଶାଗଭଜା, ପଖାଳଭାତର।
ଏତେ ଦିନ ଖୋଜୁଥିଲି ଯାହାକିଛି,
ସାଙ୍ଗ ମେଳେ, ଘର ପରିବାରେ,
ପ୍ରେମିକା କୋଳରେ
ଗଛଲତା ପାହାଡ଼ ନଦୀରେ
ବୋଧହୁଏ ଦେଖିନେଲି
ଧକ ଧକ ଛାତି ତଳେ
ମୋ ମନର ଅନ୍ଧାରୀ କୋଣରେ,
ମୋ ବିଶ୍ବାସରେ, ଆଖିର ଲୁହରେ
ମୋ ଭିତରେ,
ପଥଶ୍ରାନ୍ତ ଘର ଲେଉଟା
ଦୋହଲିଲା ବାୟାଚଢ଼େଇ ବସାରେ।