Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

ଆତ୍ମାର ସନ୍ଧାନେ


ଅଙ୍କା-ବଙ୍କା ରାସ୍ତାରେ

ଧାନ କିଆରିର ହିଡ଼ରେ

କେନ୍ଦା କେନ୍ଦା କଞ୍ଚା ଶସ୍ୟରେ

ଗୁଣୁ ଗୁଣୁ ଭ୍ରମରରେ

ମେଞ୍ଚା ମେଞ୍ଚା ସବୁଜ ଡାହାଣୀ ପୋକରେ

ମୁଣ୍ଡ ନୂଆଁ ଆକାଶ କୋଳରେ

ଦୂର ଖେଣ୍ଟା ବରଗଛ ଡାଳେ

ବାଟଭୂଲା ଏକା ଏକା ଚଢ଼େଇ ଆଖିରେ

ଅଝଟିଆ ଅମାନିଆ ପିଲାର କାନ୍ଦରେ

ହମା କରି ଡାକୁଥିବା ବାଛୁରୀ ଗଳାରେ

ଚିକିମିକି ସକାଳୁଆ କାକର ଭିତରେ

ମାତାଲିଆ କୁହୂଡ଼ିରେ ହଜିଗଲାବେଳେ

ଚାଟଶାଳୀର କୋଳାହଳ ସଙ୍ଗେ

ବରଗଛ ଉହାଡ଼ରେ କୋଇଲି ଗଳାରେ

ଗଡ଼ିଆରେ ମାଛ ଧରାବେଳେ

କାଦୁଅରେ ଲିପି ହେଲାବେଳେ

ଖରାବେଳେ ଆମ୍ବଚୋରୀବେଳେ

ଓଦାଲୁଗା ତରୁଣୀକୁ ଦେଖି ନଈକୂଳେ

ଲୁଚକାଳି ଖେଳବେଳେ

ଗାଁ ଯାତ୍ରା ଦେଖିବା ଆଳରେ

ପ୍ରେମ କରି ଆଖିରେ ଆଖିରେ

ପ୍ରତାରିତ ହୋଇ ସକାଳରେ

ଚୁପ୍‌ ଚାପ୍‌ ଦିନ କାଟିବାରେ

ମନେ ମନେ କାନ୍ଦିବାରେ

କାନ୍ଦି କାନ୍ଦି ଶୋଇ ପଡ଼ିବାରେ

ପାଠଭୂଲି ଶ୍ରେଣୀଗୃହେ ଠିଆ ହେଲାବେଳେ

ଲାଜକରି ମୁହଁ କରି ତଳେ

ଉଠି ବସି ପୁଣି ଦୌଡ଼ିବାରେ

ଲୁଚି ଲୁଚି ଦେଖୁଥିଲି ତୋତେ।

 

ଲୁଚି ଲୁଚି ଦେଖୁଥିଲି ତୋତେ

ନ ଜାଣିଲା ଚାହାଣିରେ

ମୁହଁ କରି ତଳେ,

ସାଙ୍ଗ ମେଳେ ହସୁଥିବାବେଳେ

ତୋତେ ଦେଖି ଖୋଜିଥିଲି ମୋତେ,

ବହି ଉହାଡ଼ରେ, ଆଖିପତା ତଳେ

ପ୍ରେମ ଆଉ ସ୍ନେହଭରା

ଅନନ୍ତ ସାଗରେ,

ଖୋଜୁଥିଲି ତୁମକୁ ହଜାଇ।

ହଜିଥିଲି ନିଜେ

କହିବାକୁ ପାରିଲିନି ଫେରି,

ଇଚ୍ଛାକରି ନ ପାରିଲି

ଧରିରଖି ମୁଠାଏ ଆକାଶ।











Photo Gallery


+ -

©
Site designed,developed & maintained by Tekons