Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

ତୁମ ପାଇଁ ସାତୋଟି କବିତା


ରାସ୍ତା ଛାଡ଼ି ପଥ ହୁଡ଼ି

ବାହାରିଲ ଜଙ୍ଗଲ ଭିତରେ,

ନଈ ଆଗେ,

 

ନଇଁଲାଣି ସଞ୍ଜ,

ଅଜଣା ନାଉରୀ ଡାକ,

ଧରିନେଲ ହାତ । ୧।

 

ନଦୀ’ ପାରେ ଜୀବଜନ୍ତୁ

ପାହାଡ଼ିଆ ବଣ,

ଅନ୍ଧାରୁଆ ଲତା ତଳେ

ସରୀସୃପ ମେଳ,

ଛାତି ତଳେ ମାଦକର ତାଳ

ନର ଭିକ୍ଷୁ ଦାନବର ଡର,

ଜାବୁଡ଼ିଲି ହାତ ତୋର

ଟାଣିନେଲି ମୋ ଦେହ ଭିତରେ

ଝିପି ଝିପି ବରଷାରେ

ଭରିଦେଲି ତୋ ଗଭାରେ ଫୁଲ। ୨।

 

କଅଁଳିଆ ବଡ଼ ବଡ଼ ଆଖି,

ନରମ ତୋ ହସ,

ଝରଣାର ଜାଲ ଭଳି

ଘେରିଥିଲେ କଳା କଳା ମେଘ,

ଟିପି ଟିପି ବରଷାରେ

ତିନ୍ତିଥିଲା ଆମ ଗାଁ

ମରୁଡ଼ିଆ ବିଲ,

ଦେଉଥିଲୁ ମୋ ହାତରେ

ତୋଳି ସୁନା ଫୁଲ। ୩।

 

ପଡ଼ିଥିଲି ଡେଇଁ ଯାଇ

ଅତଳ ଗରଭେ,

ଖୋଜିବାକୁ ସାଗର କୋଳରେ

ଅକଳନ ପ୍ରେମର ପରଶ,

ସତେ ତୁ ଅନନ୍ତ

ରୂପ ରାଶି ଅନେକ ବିଭିନ୍ନ,

ଯାଉଥିଲି ଭାସି ତୋ କୋଳରେ

ସମୟକୁ ପଛକରି

ଜୀବନକୁ ଜିଇଁବା ନିଶାରେ। ୪।

 

ଲଢ଼ିବାକୁ ପଡ଼ିଥିଲା ଅନେକ ସଂଗ୍ରାମ,

ଦେଇଥିଲୁ ଭୂଜରେ ମୋ ଶକ୍ତି

ଭରିଥିଲୁ ପ୍ରାଣ ଆଉ

ସାହସର ଜାଲ,

ଜିଣିଥିଲେ କେତେ ଦେଶ

 

ବହୁ ଦୁର୍ଗ, ଅନେକ ହୃଦୟ।୫।

 

ଚକ୍ରବ୍ୟୁହ ଜଙ୍ଗଲରେ ପଡ଼ିଥିଲି ଦିନେ

ଘେରିଥିଲେ ଶାଗୁଣା ଶିଆଳ,

କ୍ଷତ-ବିକ୍ଷତ ମୋ ଶରୀରୁ

ବହୁଥିଲା ରକ୍ତ,

ଭାଙ୍ଗୁଥିଲା ମନ ବଳ

କରିଥାନ୍ତି ଆତ୍ମ ସମର୍ପଣ,

ହାତେ ମୋର ଧଣାଇଲୁ ଆସି

କରିବାକୁ ଋଣ,

ପରାଜିତ କରିଥିଲି

ଯେତେ ଥିଲେ ଶତ୍ରୁ,

ଯାଇଥିଲେ ଯେ’ ଯାହା ବାଟରେ

ତୁ ହିଁ ଏକା ଥିଲୁ ପାଖେ। ୬।

 

ଜୀବନକୁ ଦେଖୁଥିଲି

ଅନେକ ପାଖରୁ,

ପାଇଥିଲି ବହୁ କିଛି

ତୋ ହାତକୁ ଧରି,

ସାଗର କୋଳରୁ ନେଇ

ପର୍ବତ ଶିଖର,

କୋଣେ କୋଣେ ଏ ଧରାରେ

ବୁଦ୍ଧଙ୍କ ବାଣୀରେ

ଥିଲା ଯାହା ଛୁପି,

ପାଇଗଲି ସବୁ ଏବେ ନିଜକୁ ସମର୍ପି । ୭।











Photo Gallery


+ -

©
Site designed,developed & maintained by Tekons