ଗମ୍ଭାରୀ ଗଛର ଛାଇ
ଛୁଇଁ ଲାଣି ଜୁଆରିଆ ନଈ,
ନାଉରିଆ ଫେରିଲେଣି,
ଘର ମୁହାଁ ହୋଇ
ଛାଳ ଘର ଛପର ସେପାଖେ,
ପିଣ୍ଡା କୋଣେ ଚଉଁରା ଆଗରେ,
ଠିଆ ଠିଆ ଫେରାଇଲୁ
ବିଗତ ସମୟ ସବୁ
ପାହାଡ଼ ଉହାଡ଼େ
ଅସ୍ତଗାମୀ ସୁରୁଯ ଆଭାରେ
ଝଲସିଲା ମସ୍ତକେ ତୋ ଚାନ୍ଦ,
ମନ୍ଦ ମନ୍ଦ ହାଲୁକା ପବନେ
ଛୁଇଁଥିଲି ତୋ ଶୁଖିଲା ମନ।
ରତ୍ନଗିରି ଗୁମ୍ଫା ତଳୁ ଆସିଥିଲା ଭାସି
ବୁଦ୍ଧଙ୍କର କରୁଣ ସ୍ବରରେ
ଜୀବନର ଅତୃପ୍ତ କାହାଣୀ।
ସାଗରକୁ ନଦୀ ଆମେ ଦେଇଛେ ବୁହାଇ,
ସଞ୍ଚି ଥିଲେ ଯାହା ଆମେ ସବୁଠୁ ଲୁଚାଇ
ଖାଲି ହାତେ ଅସ୍ପଷ୍ଟ ଆଖିରେ
ଚାହିଁଥିଲି ନଦୀତୁଠ ପରେ
ଗାଁ ବନ୍ଧ ସର୍ପିଳ ରାସ୍ତାରେ
ତୋ ଆସିବା ବାଟ ଚାହିଁ
ଓଠ କୋଣେ ହସ ଟିକେ
ଫେରି ଦେବା ପାଇଁ।
ଫେରିଲେଣି ଚାଳଘର ଛପର ଭିତରେ
ଘୁମୁରୀ ପାରାଙ୍କ ସଙ୍ଗେ ବାଇ଼ୟା ଚଢ଼େଇ
ଫେରିଲେଣି ଦଳ ଦଳ ଗେଣ୍ଡାଳିଆ ପକ୍ଷୀ।
ଆର ପାରି ନଇ ତୁଠୁ
ଆସିଲେଣି ଗାଁ ଗୋରୁ ପାଳି।
ଆସ ଆମେ ଫେରି ଯିବା ଦୁହେଁ
ଏ ଗୋଧୂଳି ବେଳାରେ
ଗାଁ ଦାଣ୍ଡ ଠାକୁରାଣୀ ଘରେ
ଘଣ୍ଟାନାଦ ହୁଳହୁଳି ଶବଦେ
ହଜେଇବା ଛାତିର ସ୍ପନ୍ଦନ
ଜ୍ୟୋତ୍ସ୍ନାର କଅଁଳ ସ୍ପର୍ଶରେ
ପାଇନେବା ବାକି ସମ୍ବଳକୁ
ଜିଇଁବାକୁ ବଳକା ଜୀବନ।
---------