ଭିତରକୁ ଆସିବୁ ପରା
ଦୁଆର ମୁଁହରେ ଚପଲ ରଖି ଆ,
ଗାଁ ପୋଖରୀର ସାବୁନ ଫେଣରେ
ଅନେକ ବର୍ଷର ମଇଳା ଦେହଟା ଧୋଇନେ।
ତୋ ମୁକୁଟ ଫୋପାଡ଼ି ଦେଇ ଆ,
ତୋ ନଣ୍ଡା ମୁଣ୍ଡରେ ଚନ୍ଦନ ଦେବୁ ତ ଦେ।
ଏଠି ଆସିବାକୁ ମନା ନାହିଁ
ହେଲେ ଆସିବୁ ତ ଏକା ଏକି ଆ,
ସାହି ପଡ଼ିଶା ଘର ପରିବାର
ଯିଏ ଯେଉଁଠି ଛାଡ଼ି ଦେଇ ଆ।
ଦୁଆର ମୁହଁ ବହୁତ ଛୋଟ,
ଏଥିକି ଅସିବା ପାଇଁ ଜଣିକିଆ ବାଟ।
ଭାବିନିଏ ନଗ୍ନ ଦେହେ ଆସିବା ସହଜ
ଲାଜ,ସରମ, ଅଭିମାନ କୁ ଛାଡ଼ିଦେଇ ଆ
ଜମା ପୁଞ୍ଜି ଛାଡ଼ିବାକୁ ହେବ
ମୋହମାୟା ଭୁଲିବାକୁ ହେବ,
ଲୋଭ ଆଉ ଅଭିଳାଷକୁ ଛାଡ଼ିଦେଇ ଆ।
ଜୀବନର ସବୁପୁଞ୍ଜି କୁ ଭୁଲିଯା
ପାପ ପୁଣ୍ୟର ହିସାବ ଛାଡ଼ି
ଯଦି ଆସିପାରୁ, ତେବେ ଫେରିଆ।
ଅନେକ ଦିନରୁ ଜଗି ବସିଛି
ତୋ ଆସିବା ବାଟକୁ ଚାହିଁ ରହିଛି,
ତୋତେ ଆସିବାକୁ ନାହିଁ ମନା
ହେଲେ , ଆଖିରୁ କଳା ଚଷମା ଖୋଲିଦେ
ମନଭରି ପେଟ ପୁରାଇ ଜୀବନକୁ ଭରି ଦେ,
ମଲା ଅତୀତ କୁ ଭୁଲି ଯା,
ନୁଆ କରି ଜିଇଁବୁ ଯଦି ଫେରି ଆ।