ଏ ବର୍ଷା କଣ ନୂଆ ଜୀବନ ପାଇଁ ?
ନା ... ତୁମ ପାଇଁ ଅସଢାଏ ଲୁହର ଧାର ।
ମୁଁ ଜାଣେନା , ତୁମେ ଆଜି
ପୁରୁଣା ବସନ ଛାଡି ,
ନୂଆ କପଡାରେ ।
ତୁମେ ହୁଏତ ବହୁତ ଶୀଘ୍ର
ବଦଳାଇ ପାର
ତୁମ ଦେହ , ତୁମ ମନ ।
ଭୁଲେଇ ଦେଇ ପାର ଅତୀତର
ସବୁ ପରବ ପର୍ବାଣୀ,
ଚଉଦ ବର୍ଷର ରଥ ଯାତ୍ରା
ମାଉସୀ ଘର ଚକୁଳି ,
ଆଉ ତୁମେ ଦେଇ ଥିବା
କୋଟି ଦେହେ ଅସରନ୍ତି ସ୍ନେହ ।
ଏ ବର୍ଷା ଦେଇ ଯାଏ
ଅତୀତର ଅନେକ ସ୍ମୃତି କୁ ।
ରଥ ଉପରେ ତୁମ ସ୍ପର୍ଶ ,
ତୁମର ସେ ଆଖିର ଚାହାଣୀ
ତୁମ ଘର ପଖାଳ ତୋରାଣି ।
ଶୁଣିଲି ତୁମେ ତୁମ ଆତ୍ମା କୁ
ନୂଆ ଘର ଦେବ ,
ଜାଣେନା ବିଶ୍ଵାତ୍ମା କୁ
କିଏ ଦେବ ରଖି ,
କେଉଁ ଦାରୁର ଖୋଳରେ
କେମିତି ହେବ ବାନ୍ଧି ।
ସେ ଆତ୍ମା ରେ କେବେ ଦିନେ
ଯାଇଥିଲେ ମିଶି
ଅନେକ ମନୀଷୀ,
ଚୈତନ୍ୟ , ଦାସୀଆ
ଆଉ କେତେ ଋଷି ।
ମଣିଷର ଖେଳ ଏଠି
ଅନନ୍ତ ଅପରିସିମ ଶକ୍ତିର ଉତ୍ସକୁ ,
କରିବାକୁ କାରାରୁଦ୍ଧ
ମନଗଢା କଣ୍ଢେଇ କୋଳରେ ।
ମୁଁ ଦେଖେ ତୋତେ ଏଠି
ବରଷା ଧାରରେ,
ହରା ଭରା ପାହାଡ ଶିଖରେ,
କଳ କଳ ଝରଣାରେ ,
ବଡ ବଡ ଲହରୀ ମାଳରେ ।
ନୂଆ ଦେହେ ଦେଖି ନେବି
ତୋ ପୁରୁଣା ହସ ,
ସମୟର ଶିକୁଳୀକୁ କୁ ଭାଙ୍ଗି ,
ବଯସର ଗଣନାକୁ ଭୁଲି ,
ପାଇ ନେବି ମୋ- ହଜିଲା ଧନ ।