ଶାଗୁଆ ଶାଢ଼ୀରେ ବରଷାରାଣୀ
ମେଲି ଦେଇଚି ତା ପଣତକାନି
କଦମ୍ବ, ତରାଟ, କାଠଚମ୍ପା ଫୁଲ
ହରଗଉଡିଆ ରଙ୍ଗଣୀ ଛିଟ
ପାଢୀ ସାଜିଛନ୍ତି ଦୁପଟ୍ଟା ତୋର।
ବହୁବହୁକା ପୋକର ମାଳ
ଗୋଡରେ ଦେଇଛି ଅଳତା ରଙ୍ଗ
ଆଖିରେ ଆଖିଏ ଲୁହର ଝର
ଗଳାରେ ଝୁଲୁଚି ମେଘର ମାଳ
ଅନାଇ ବସିଚି ବୁଢୀମା’ ମୋର
ଘୁରୁଥିଲା ତା ଅମାନିଆ ମନ
ଘାଣ୍ଟି ହୋଇଥିଲା ତା’ ପାଦ ଗୋଡ
କାଦୁଅ ଭିତରୁ ଖୋଜୁଛି ପଦ୍ମ।
ଛାତି ଚରି ଆସୁଥିଲା ବାହାରି
ପିଲାଦିନ କଥା, ପ୍ରେମ କାହାଣୀ
କେତେ ଚଗୁଲିଆ ବରଷା ଦିନ
ବହିନେଲା ସବୁ ବରଷା ଧାର।
କାଗଜଡଙ୍ଗାରେ ଗଲି ଆଗକୁ
ନଈ-ନାଳ ଦେଇ ପର ଦେଶକୁ।
ତୋ ଯୌବନ ତୋ ଖୋଲା ପଣତ
ଧରି ପାରିଥାନ୍ତେ ଚଗଲା ମନ।
ଫେରିଆସିଅଛି ଏ ବରଷାରେ
ସକାଳୁଆ ମେଘ ଘଡ଼ଘଡ଼ିରେ,
ଆଖିରେ ଅନେକ ସପନ ନେଇ
ଜାବୁଡ଼ି ଧରିଲି ପଣତକାନି।
ସବୁଜ ଚାନ୍ଦର ରଙ୍ଗଣୀ ଫୁଲ-
ପ୍ରଜାପତି ସଙ୍ଗେ ହୋଇବି ସାଙ୍ଗ।
ଓଦା କରିଦେ’ ତୁ ମୋ ଛାତି ତଳ
ବୁଣିଦେବି ମଞ୍ଜି ଜୀବନ ଧନ।
ମହକିବ ଯେବେ ତା’ ଦେହୁ ଫୁଲ
ଭରିଦେବ ଦେହେ ଅନେକ ପ୍ରେମ।