ପାହାନ୍ତିଆ ସ୍ବପ୍ନ ହୋଇ ଆସି
କହିଥିଲ ଦେବାକୁ ମୋ ପ୍ରାଣେ
ଜ୍ଞାନର ଆଲୋକ,
ଅନାସକ୍ତ ମନ ଆଉ
ମୁକ୍ତିର ଆହ୍ବାନ।
ଜାଣିଲି, ମୁଁ ନୁହେଁ ସ୍ପର୍ଶ
ସ୍ବାଦ ଅବା ଇନ୍ଦ୍ରିୟର ଘର,
ଧୋଇବାକୁ ପୁରୁଣା ଜହର
କରିବାକୁ ସତ୍ୟର ସନ୍ଧାନ।
ନୁହେଁ ଜଳ, ନୁହେଁ ମୁଁ ପବନ,
ମାଟି ନୁହେଁ
ନୁହେଁ ବି ଅଗ୍ନି କିମ୍ବା ଶୂନ୍ୟ।
ଜାଣିବାକୁ ମୁଁ ନିଜକୁ
ମୁଁ ଖାଲି ଅନୁଭବ,
ସାକ୍ଷୀ ଠିଆ,
ଦେଖିବାକୁ ଜୀବନ ରହସ୍ୟ।
ଅନୁଭବ ଓ ଅନୁଭୂତି
ଭାଙ୍ଗିଦେବ କାରାଗାର ଦ୍ବାର,
ଶାନ୍ତିର କୋମଳ ଚୁମା
ଅବିଳମ୍ବେ ଦେବ ଖୋଲି
ଉନ୍ମୁକ୍ତ ଆକାଶେ,
ପାଇବାକୁ ନିଜର ସନ୍ଧାନ।
ମୁଁ ନୁହେଁ ବନ୍ଧା ଶିକୁଳିରେ,
ଅଦୃଶ୍ୟ ମୁଁ
ମୂକ ସାକ୍ଷୀ, ଅନନ୍ତ ଆକାଶ।
ଲକ୍ଷ୍ୟ ମୋର ତରିବାକୁ
ଆନନ୍ଦ ଲହରୀ,
ଭୁଲି ଯାଇ ଭଲମନ୍ଦ
ମନର ଜଞ୍ଜାଳ।
ଯାହା ମୋ ହୃଦୟର ଡାକ
ମୁଁ ତାହା,
ଜୀବନ୍ତ ମୁଁ, ଯାତ୍ରା ବିହଙ୍ଗର।
ବେଡ଼ି ନାହିଁ ପାଦେ ମୋର,
ହାତ ଛୁଏଁ ଅସୀମ ଆକାଶ।
ଭିତରେ ବାହାରେ ମୋର
ଅନାବଦ୍ଧ ଶ୍ବାସ,
ଏତେଦିନ ମାୟାଜାଲ କରିଥିଲା ଅନ୍ଧ।
ସାଗରର ଲହରୀ, ବରଷାର ଜଳ ବୁନ୍ଦା
ଭିନ୍ନତାର କଲେବି କଳ୍ପନା
ନଥିଲେ ଅଲଗା।
ମୁଁ ଆଉ ତୁମେ ଅଲଗା କେମିତି?
ନ ଦେଖି ନିଜକୁ
ଆଖି ଆଗେ ଦେଖେ ମରୀଚିକା,
ଆଖି ବୁଜେ ଯେବେ ଦେଖେ ତୁ ଆଗେ ଠିଆ।
ମୁଁ ଆଶ୍ଚର୍ଯ୍ୟର ଅନୁଠା ପ୍ରସ୍ତୁତି
ଚିର ଜୀବନ୍ତ ମୁଁ
ନାହିଁ ମୋର ଭୟ
ନାହିଁ କାର୍ହି ଯିବାରେ ମୋ ଲକ୍ଷ୍ୟ।
ମୁଁ ଅଜଣା…ବାଟବଣା…ଜଳକଣା
ଲହରୀ ମୁଁ ନ ଜାଣେ କେମିତି
ସାଗରଠୁ ନୁହେଁ ମୁଁ ନୁହେଁ ଅଲଗା,
ଲୋଭ ଆଉ ମାୟାର ଜାଲରେ
କେଜାଣି କାହିଁକି ହୁଏ ଛଟ ପଟ
ନ ପାଇ ଠିକଣା।
ଶୁଦ୍ଧ ଅନୁଭୂତି ମୁଁ
ସୌନ୍ଦର୍ଯ୍ୟର ଅପାର ସମ୍ଭାର,
ମୁକ୍ତ ମୁଁ, ସ୍ବାଧୀନ ବିହଙ୍ଗ,
ଦୁର୍ବଳତା ନୁହେଁ ମୋର ଧର୍ମ,
ଲକ୍ଷ୍ୟ ନୁହେଁ ଇନ୍ଦ୍ରିୟର ସୁଖ।
ମୁଁ ନୁହେଁ ଶରୀର ବା ମନ,
ଦୂରେ ଠିଆ ଏକା ଏକା
ଦେଖି ଚାଲେ କଙ୍କାଳର ଯାତ୍ରା।
ଦେଖିନି ଭିନ୍ନତା,
ଦେଖିନି ଶ୍ରେଷ୍ଠତା,
ନାହିଁ ଦୁଃଖ ଅବା ସୁଖ,
ନୀରବ ଦ୍ରଷ୍ଟା ମୁଁ
ସମୟ ଚକ୍ରର।
ଜାଣିଗଲେ ନାହିଁ ଆଉ ଡର,
କଣ ପାଇଁ ନିର୍ବାଣ,
ଅନାସକ୍ତ,ମୋକ୍ଷ
ଶାନ୍ତ, ଅନାବିଳ ବକ୍ଷ।
ମୁଁ ନାହିଁ, କେହି ନାହିଁ,
ମାଡ଼ି ଆସେ ସୁନାମିର ଝଡ଼
ଯେବେ ଆସେ ମନ
ଗଢ଼ିଚାଲେ ଅବିରତ
ଗୋଟେ ପରେ ଆଉ ଏକ ବିଶ୍ବ।