(୧)
ଛାଡି ଆସିଥିଲି ମୋ ଗାଁ ନଇ
ବିଲ,ଦାଣ୍ଡ,ପଡ଼ିଆ,ଗୋଚର;
ସାଙ୍ଗ ସାଥୀ
ପୁରୁଣା ଦିନର
ଆସିଥିଲି ଛାଡ଼ି
ମୋ ବୋଉର ପଣତ କାନି,
ହାଣ୍ଡିଶାଳ, ଗାଇ ଗୋଠ
ନଣ୍ଡା ବରଗଛ,
ନଈତୁଠ ବାଲିଘର ଖେଳ।
ମୁହଁମାଡ଼ି ଶୋଇଥିଲି ଅଜଣା ସହରେ
ବାନ୍ଧିଥିଲି ଛାତିର କୋହକୁ
ତକିଆରେ ପୋଛିଥିଲି
ଆଖିର ଲୁହକୁ।
ଦେଇଥିଲ ସାହସର ମନ୍ତ୍ର
କହିଥିଲି ଦେଖିବାକୁ ନୂଆ ନୂଆ ସ୍ବପ୍ନ।
ତୁମ ହାତର ସ୍ପର୍ଶ
ହୃଦୟରେ ଭରିଥିଲା ଅନେକ ଉତ୍ସାହ।
କହିଥିଲ ଆଦର୍ଶର କଥା,
ଦେଇଥିଲ ଜୀବନର ଯାତ୍ରା ପାଇଁ
ଅଜସ୍ର ପ୍ରେରଣା।
(୨)
ଆଜି ଏତେ ବର୍ଷ ପରେ
ଫେରି ପାଏ ସେ ହାତର ସ୍ପର୍ଶ,
ତୁମ ବଗିଚାର ଫୁଲ ପାଖୁଡ଼ାରେ,
ପ୍ରଜାପତିର ସପ୍ତରଙ୍ଗୀ ଡେଣାରେ,
ଆଉ କିଛି ସବୁଜ ଘାସରେ
ସକାଳୁଆ କାକରର ଚିକ୍ମିକ୍ ଆଲୁଅରେ।
ଦେଖେ ଆଜି ତୁମକୁ ମୁଁ ପ୍ରତ୍ୟେକ ହୃଦୟେ,
ଚେତନାର ସ୍ପନ୍ଦନରେ,
ସଙ୍ଗୀତର ଅଭୁଲା ସ୍ବରରେ।
ଜୀବନ୍ତ, ଅମର ତମେ
ତୁମ ସୃଷ୍ଟିର ନିଭୃତ କୋଣରେ
ତୁମ ହାତର କଅଁଳ ସ୍ପର୍ଶରେ।