ବରଷା ହୋଇ ଝରି ପଡ଼ିଲ
ବହିଗଲ ନଈ-ନାଳ ହୋଇ
ଅଭିମାନ ଅନେକ ବର୍ଷର
ଛାଡ଼ି ଦେଲ ସାପକାତି ପରି।
ଆକାଶରୁ ଧରାକୋଳେ
ଆସିବାକୁ କେତେଦିନ ନେଲ
ଶୁଖା, ଥୁଣ୍ଟା,ରୌଦ୍ର ଜର୍ଜରିତ
ଜଙ୍ଗଲକୁ ନୁଆ ପ୍ରାଣ ଦେଲ।
ହ୍ରଦ ହୋଇ ମୋ କୋଳେ
ରହିବାକୁ ଆସିଥିଲ ପରା
ଶୁଖିଲା ପାହାଡ଼ ମୁଁ
ତୋତେ କରିଛି ଝରଣା।
ରୁଦ୍ଧ କଣ୍ଠେ ଭରିଛି ତୋ
କଳ କଳ ସ୍ବର
ନାନାବାୟା ମନଭୁଲା ଗୀତ
ନିଦଭରା ମୂର୍ଚ୍ଛନା ସଙ୍ଗୀତ।
କେବେ ଯେବେ ଶେଷ ହେବ ଯାତ୍ରା
ଅଜାଡ଼ିବୁ ତୋ ପ୍ରେମ ପସରା
ମୁଣ୍ଡ ମୋଡ଼ି ଦେଖିବୁ ଅଦୁରେ
ଗୋଡ଼ ଟେକି ହୋଇଥିବି ଠିଆ
ବର୍ଷା ହୋଇ ଫେରିବୁ ଏବାଟେ
ବୋହିଦେବି ମୋ କୋଳୁ ଝରଣା।