ସେ କହେ, ସେ ଥିଲା ସେଠି
ସେ ଅଛି ଏଠି
ସେ ଥିବ ମୋ ଗଲାପରେ,
ମୋ ଚଲା ରାସ୍ତାରେ
ଟିକି ଟିକି ଧୂଳି ବାଲିରେ
ବାଟକଡ଼ରେ ଅନାବନା ଘାସ,
କାଶତଣ୍ଡୀ ମୂଳେ।
ସେ ଦେଖୁଥାଏ ରାତ୍ରିର କୋଳରେ
ଜୁଳୁଜୁଳିଆ ପୋକର
ଚମକିଲା ଆଲୁଅରେ।
ସେ ପରା ମୁଁ ବୋଲି କହେ
ମୋ ପରଛାଇ ମୋ ସଙ୍ଗେ
ଲୁଚକାଳି ଖେଳେ।
ରାତ୍ରିର ନିର୍ଜନ/ନିଃଶବ୍ଦ କୋଳେ
ମୁଁ ମୋ’ ଛାଇରେ ହଜିଯାଏ।
ମୁଁ ଥିଲେ…ତୁମେ ନାହଁ
ତୁମେ ଥିଲେ…ମୁଁ ନାହିଁ,
ଏ ଅନନ୍ତ ଯାତ୍ରାରେ ଆମେ କେବେ
ଭେଟାଭେଟି ହେବା?
ଜୀବନ ମୁହୂର୍ତ୍ତକ ପାଇଁ
ଚୁପ ହୋଇଯିବ।
ମୁଁ ନ ଥିବି, ତୁମେ ନ ଥିବ
ଆମେ ହୁଏତ ଦେଖାହେବା
ଜନ୍ମ ଆଉ ମୃତ୍ୟୁର ପରିଧି ବାହାରେ
ଏକ ନିର୍ଜନ ଇଲାକାର
ନୀରବ କୋଳରେ।
ଆଉ ଏକ ନବ-ଅନୁଭୂତ
ଅନନ୍ତ ସ୍ପର୍ଶରେ।
ପ୍ରକାଶିତ: ‘ଅଭିଯାନ’ (କୋଲକାତା)