ତୁମକୁ ମୁଁ ଚିହ୍ନେ ନାହିଁ
ଜାଣି ନାହିଁ ଜାତି ଅବା ଗୋତ୍ର
ଦେହ ରଙ୍ଗ, ଦେଶ, ଭାଷା, ଧର୍ମ।
ଦାନ ଦେଇ ଲୁଚି ଗଲ
ପରିଚୟ ଦେଲ ନାହିଁ ସ୍ତ୍ରୀ କି ପୁରୁଷ।
ଶୋଷିଲା ତଣ୍ଟି ମୋର
ଶରୀର ମୋ କ୍ଷୁଧାରେ ଆତୁର।
ହାତ ପାତି ମାଗିନେଲି
ତୋଳିବାକୁ ଭଗ୍ନ ମୋ ମନ୍ଦିର।
ଜୀବନର ପୁଞ୍ଜି ଦିନେ ହରାଇଲି
ଗାଁ ଦାଣ୍ଡ ,ହାଟ ବଜାରରେ
ବାଣ୍ଟି ଦେଲି ଯାହାଥିଲା
ଭାଇ ବନ୍ଧୁ କୁଟୁମ୍ଭ ହାତରେ
ବୋଧ ହୁଏ ଭାବିଥିଲି ଫେରାଇବେ,
ମୋ ସ୍ନେହ, ମୋ ପ୍ରେମ,
ହଜିଗଲା ଜୀବନର କେତୋଟି ମୂହୁର୍ତ୍ତ।
ସମୟର ଅସହ୍ୟ ପ୍ରହାର
ଆଖି ଖୋଲି ଚାହିଁଥିଲି
ପାଇବାକୁ ଟିକେ ହସ,
ଆଉ ତୁମ ହାତର ପରଷ।
ଜାଣିବାକୁ ଲାଗିଲାନି ବେଳ,
ଜାଣି ନେଲି ତୁମ କଥା
ଦିଅ ଏବେ ତୁମେ ଦେଖା
ହେ!ଅଦୃଶ୍ୟ ମାନବ।
ଚଢ଼େଇଙ୍କ ଗୀତରେ ଶୁଣିଛି,
ଆକାଶର ନେଳିଆ ଦେହରେ
ଭସା ମେଘେ ତୋ ଛବି ଦେଖିଛି।
ବର୍ଷାଦିନେ ଅନ୍ଧାରୁଆ ଘରେ
ଲୁଚକାଳି କେତେ ତୁ ଖେଳିଛୁ,
ପାଖେ ତୁ ମୋ ଥାଇ ବି ନ ଥାଉ
ଧରା ଦେଇ ହାତ ଛାଡ଼ି ଦେଉ।
ଅଦୃଶ୍ୟ ତୋ ଦେହରୁପ
ଅବିରତ ତୋର ପ୍ରେମ ସ୍ରୋତ
ତୋ ସ୍ନେହରେ ମୋତେ ତୁ ବାନ୍ଧି ଦେ,
ବୋହିଦେ ତୁ ଶକ୍ତିର ସାଗର,
ଆଭା ତୋର ମୋ ଦେହେ ଭରିଦେ।
…………………