ଜୀବନ ମୁଁ ତତଲା ବାଲିରେ
ଖେଳିଥିଲି ତୋତେ,
ଗାତକରି ଶୁଖିଲା ନଈରେ
ପାଇବାକୁ ପାଣି ମୁନ୍ଦେ,
ମେଣ୍ଟିବାକୁ ମୋ ଗଳାର ଶୋଷ।
ସମୟରେ ବନ୍ଧା ତୁ ଜୀବନ,
ଘଣ୍ଟା ଘଣ୍ଟା ମିନିଟରେ
ଦିନ, ମାସ, ବର୍ଷ ଆଉ
ସକଳ ସଞ୍ଜରେ,
ଶୀତ ବସନ୍ତରେ
ସୁଖ ଆଉ ଦୁଃଖରେ
ତୋ ମୁହଁର କୁଞ୍ଚିତ ଚର୍ମରେ।
ଜୀବନ ତୁ ବାଟହୁଡା,
ହୋଇପାରୁ କାରାରୁଦ୍ଧ
ଥାଇପାରେ ତୋ ଦେହରେ
ଅକଳନ ଆଶା,
ହୋଇପାରୁ ତୁ ପ୍ରେମର ଦାସ,
ଜିଇଁବାର ଯନ୍ତ୍ରଣାରେ
ତୁ ହୁଏତ ଘୂରି ବୁଲୁଥିବୁ
ପୃଥିବୀ ଅନେକ।
ଅନ୍ତହୀନ ସାଗରର ସୀମା,
ଶନ୍ତ ସୁପ୍ତ ଧୂସର ବାଲୁକା,
ଚିରି ଦୂର ଗଗନର ଦେହ,
ଯାଇଥିଲି ଉଡ଼ି ଏକା ଏକା।
ଭରିଥିଲ ଦେହରେ ଉଷ୍ଣତା
କହିବାକୁ ମୋ ଭିତର କଥା,
ଢାଳିଥିଲ ଆଖି କୋଣେ
ଦେଇ ତୋ ଇସାରା।
ମୁଁ ଏକ ଭିନ୍ନ ଦୁନିଆରେ,
ବାଟୋଇ ମୁଁ
ଅଜଣା ରାସ୍ତାର।
ସମୟର ଚକ ନାହିଁ
ନାହିଁ ସୁଖ-ଦୁଃଖର ହିସାବ
ନାହିଁ ନୂଆ ସକାଳ ବସନ୍ତ
ଆଗେ ଖାଲି ବିଶାଳ ଆକାଶ,
ଗୋଟେ ପରେ ଆଉ ଗୋଟେ
ଅନନ୍ତ ଆକାଶ।