ତୋତେ କହିବି କହିବି ବୋଲି
ବିତିଗଲା ଅନେକ ସକାଳ,
ଡରି ଡରି ପାଦ ଚିପି ଚିପି
କଟାଇଛି ଅନେକ ରଜନୀ
ରାତିର ସେ ଅନ୍ଧାରୁଆ ମୁହଁ
ମିଂଜି ମିଂଜି ତାରାମାନେ
ଚେଁ ଚାଁ ଶବ୍ଦ ସବୁ
ତଣ୍ଟି ଚିପି ଦେଲା ପରି
ଅମୁହାଁ ନିଶ୍ବାସ।
ସବୁ ତୋତେ କହିଥାନ୍ତି
ପାଟି କରି ଡାକିଲେ ବି
ନ ଥିଲା ଶବଦ
ଭୟାନକ ଯନ୍ତ୍ରଣା
ସକାଳର ଥଣ୍ଡା ଆଲୁଅରେ
ସବୁ ଥିଲି ଭୁଲି।
ହେଲେ ତୋତେ ସବୁ ଜଣାଥିଲା
ତୋ ଭିତରେ ମୁରୁକିଲା ହସ
ଅଜଣା ସଂଗ୍ରାମ ପାଇଁ
ଦେଉଥିଲୁ ଠେଲି,
ସୁଲୁସୁଲିଆ ପବନରେ
ଶୋଇଥିଲି ପରୀଙ୍କ ମେଳରେ।
ଜୀବନର ଅଜଣା ଏ ବାଟ
ରାସ୍ତାକଡ଼େ ଗଛ, ପକ୍ଷୀ,ଫୁଲ ଓ ସୁବାସ
ହେଲେ ଥାଇ ବି ନଥାନ୍ତି,
ରାତି ଦିନ, ଥଣ୍ଡା ଓ ବରଷା
ଆକାଶର ମେଘ ଆଉ ଝରଣାର ନାଦ
ମୂଲ୍ୟହୀନ
କାଗଜ ପାଖୁଡ଼ା।
ପହଞ୍ଚିବାର କେତେ ଯେ ମୋ ଆଶା
ହେଲେ, ଜାଣେନା ମୋ ଦିଶା
କି କାରଣେ ଏହି ଯାତ୍ରା
କାହା ପାଇଁ ସଂଗ୍ରାମ ଏ
ବେକ କଟାକଟି,
ପ୍ରତିଦ୍ବନ୍ଦିତା ଯିବାକୁ ଆଗେଇ।
କହିବାକୁ ହେବ ତୋତେ
କାହା ପାଇଁ ମୋର ଏ ପ୍ରସ୍ତୁତି
ପାର ହୋଇ ଜୁଆରିଆ ନଦୀ
ଯିବା ପାଇଁ କେଉଁ ଏକ ଦିଗେ,
ଭେଟିବାକୁ କେଉଁ ବୁଦ୍ଧ,
ଅବା ମହାବୀର!
ପ୍ରକାଶିତ: ‘ଜନସୁଧା’(କଟକ): ଜୁଲାଇ,୨୦୧୧