ଧୁମ୍ ଖରାରେ
ତୁମ ମନଖୋଲା ପଣତକାନିରେ
ମୋ ଛୋଟ ଛୋଟ ନାକ ପୁଡ଼ାରେ
ନେଉଥିଲି ଶତ ସୂର୍ଯ୍ୟର ରଶ୍ମୀ।
କେଉଁଠି କେଜାଣି ମେଜ ତଳେ
ଲୁଚି ବସିଥିଲା, ଅନ୍ଧାରରେ
ଆଖିବୁଜି, ନିଜକୁ ଭୁଲେଇ
ବହୁଦୂରେ ହଜିଥିବା
ହରାଭରା ଜଙ୍ଗଲରେ
ଖୋଜୁଥିଲା ମୁଠାଏ ସ୍ବପ୍ନକୁ।
ଆଲୋକ ତୁମେ ଏତେ ନିଷ୍କ୍ରିୟ
ତୁମେ ଆସିଲେ ହୁଏତ
ସବୁକିଛି ବଦଳି ଯାଆନ୍ତା
ଆଖିପତା ଖୋଲି ଚିହ୍ନାଇଦିଅନ୍ତି
ଅନାବନା ଲତା, ଫୁଲ, ପତ୍ର
ହେଲେ ତୁମେ ବି ନୀରବ
କାହା ପାଇଁ ତୁମର ପ୍ରତୀକ୍ଷା!
ଆଖିରେ ତୁମର ଆଜି ବି ଜୀବନ
ଭଲ କରି ଦେଖିବାକୁ ଅନେକ ଆଗ୍ରହ
କଳା କଳା ଅନ୍ଧାରରେ
କେତେ କ’ଣ ରଙ୍ଗ,
ସତ ସୂର୍ଯ୍ୟ ଲୁଚିଅଛି ତାହାରି ଭିତରେ
ଟିକେ କ’ଣ ବଳକା ହେବନି
ମେଜ ତଳେ ଏ ଅନ୍ଧାରରେ
ଆଣିବାକୁ ଅଳ୍ପ କିଛି ରଙ୍ଗ!