ଅନେକ ଜୀବନ ପରେ,ଆଉଥରେ
ଦେଖାଦେଖି ଆମ ଅଜଣା ସହରେ
ଏ ସହରେ ଘର ନାହିଁ,
ନାହିଁ ଶୋର ଶବ୍ଦ,
ଅଲଗା ଅଲଗା ମୁହଁ
ଅସ୍ପଷ୍ଟ ଅଦୃଶ୍ୟ।
ମନରେ ନଥିଲା ଶଙ୍କା,
ହାତ ଠାରି ହେଲେ ପାଖି ପାଖି।
ମୁଁ ଜାଣେନା ବୁଝିଲ କି ନାହିଁ
କାହାଣୀର କୌଣସି ସୁତ୍ରକୁ।
କେବେ କଣ କରିଥିଲ ଚେଷ୍ଟା,
ଅବା ଖାଲି କରିଥିଲ ଯାତ୍ରା?
ଭାବିଥିଲି କରିଥାନ୍ତି ସମାଧାନ,
ଗଣିତର ଜଟିଳ ସମସ୍ୟା।
ହେଲେ ବୁଝିଗଲି ତୁମ କଥା ଶୁଣି,
ପ୍ରମାଣ କରିବାକୁ ନାହିଁ ଏଠି କିଛି।
ହସିବାରେ ବସିବାରେ ବାଟ ଚାଲିବାରେ
ଅନ୍ଧାରୁଆ ଜଙ୍ଗଲର ପତର ସନ୍ଧିରେ,
ଆଲୁଅର ଦୁଇ ଚାରି ଧାର,
ଆଣି ଦବ ସତ୍ୟର ସନ୍ଧାନ।
ଅନ୍ଧକାର ଅପସରି ଯିବ
ପଥ ପ୍ରାନ୍ତ ଉନ୍ମୁକ୍ତ ହୋଇବ,
ଶେଷ ହେବ ଅସରନ୍ତି ଯିବା ଓ ଆସିବା।
ଶାନ୍ତ ହେବ ପେଟ ଭୋକ ତଣ୍ଟିର ସେ ତୃଷ୍ଣା,
ଉଷୁମ ପବନ ଆଉ ନରମ କିରଣ,
ହୃଦୟରେ ଭରିଦେବ ପରମ ଆନନ୍ଦ।