ଏମିତି ଅନେକ ଯାତ୍ରା
କାହିଁକି କେଜାଣି
ବୁଝିହୁଏନା।
ଗଡ଼ିଗଲା ସମୟ
ବହିଗଲା ନଦୀର ପ୍ରବାହ
ଥିରି ଥିରି ପବନ
କିଛି ବୁଝିହୁଏନା।
ଜୀବନକୁ ଜୀଇଁବାର
ନିରନ୍ତର ଅସମାପ୍ତ ଯାତ୍ରା
ମୃତ୍ୟୁର ସେପଟେ
ଜନ୍ମର ଅନ୍ତରାଳେ
କିଛି ବୁଝିହୁଏନା।
ବୋଧହୁଏ ଏସବୁ ଏମିତି
ଅବୋଧ୍ୟ
ଦରକାର କ’ଣ ଅବା
ବୁଝିବାକୁ…ଜାଣିବାକୁ…
ଯାତ୍ରାର ଶେଷ ଯେବେ ହେବ
ଦେଖାହେବ,
ଆମ ଦର୍ଶନ
କିଛି ହୁଏତ ବୁଝିହେବ।
କେବେ କେବେ ମନେପଡ଼େ
କହିଥିଲ ଭୁଲିଯିବା ପାଇଁ,
ଭୁଲିଯାଇ କ’ଣ ପାଇଁ
ମନେପଡ଼ ବେଳେବେଳେ
ସେହି ଅନ୍ଧାରିଆ ରାସ୍ତା,
ଚୁପ୍ଚାପ୍ ଚାଲି,
ବେକ ତଳେ ରୁଦ୍ଧ
ମୁଠାଏ ଆବେଗ।
କହୁ ନ ଥିଲା, ହେଲେ
ନାରୀମାନେ ଆସିଥିଲେ
ଅନେକ ସଂଖ୍ୟାରେ
ଶୂନଶାନ ଗଛ ଡ଼ାଳେ
ଦେଖୁଥିଲେ ମିଞ୍ଜି ମିଞ୍ଜି
ବାଦୁଡ଼ି ଓ ପେଚା।
ଭୂଲ ବୁଝିଥିଲି ବୋଲି
ଜାଣିବାକୁ ଲାଗିଥିଲା କେତେ ବର୍ଷ
ଆସିଥିଲ ପାଖକୁ
କହିବାକୁ ଭୂଲିଯିବା ପାଇଁ।
ହେଲେ କେବେ କେବେ
ଭାବିବାରେ କି ଅପରାଧ
ସବୁ ଏବେ ହଜିଲା,
ସ୍ଥିର ଓ ଶାନ୍ତ।
ଜୀବନ ଯେ ଅତୀତର
କାହାଣୀର ଗ୍ରନ୍ଥ,
ଜାଣିବାକୁ ଖର୍ଚ୍ଚକଲି ଅନେକ ସମୟ।
ଫେରିଆସି କେବେ କେବେ
ଗଲା ରାସ୍ତାସବୁ,
ଅବରୋଧ କରେ ମୋର
ନିଶ୍ବାସ ପ୍ରଶ୍ବାସ।
ଫିଙ୍ଗିଦେଇ ଗୋଡ଼ର ବେଡ଼ିକୁ
ହାତ ମେଲି ଉଡ଼ିଗଲାବେଳେ
ମେଘସବୁ ମେଳି ବାନ୍ଧି
ବିଗହରା କଲେ।
ଦୂର କେଉଁ ପାହାଡ଼ ଉହାଡ଼େ
ଚିକି ମିକି ଅଳ୍ପ କିଛି,
ଝରା ଆଲୁଅରେ
ଦେଖୁଥିଲି ତୁମ ଆଖି ତଳେ
ହାତ ଠାରି ଡାକିବାର
ନୂଆ ଦୂନିଆରେ।
ସେ ଜାଗାଟା ଥିବ ଯଦି
ଜୀଇଁବାର ଅଲଗା ସୋପାନ,
ପାରିକରି ଦଳମୟ ବିଷମ ସମୁଦ୍ର
ପହଞ୍ଚିବି ଖୋଜିବାକୁ ଏ ଜୀବନ ଅର୍ଥ।
ଏ ଭିଡ଼ରେ ବୁଝିବି ହୁଏନା
ଜାଣିବାକୁ କ’ଣ ଅଛି ଲୋଡ଼ା
ପାଦ ଗଣି ଚାଲିବାରେ
କ’ଣ ଅବା ଥାଇପାରେ
ଏ ବାଟକୁ ଚିହ୍ନିବାରେ
ଯେବେ କେବେ ପହଞ୍ଚିବା ପାନ୍ଥଶାଳେ,
ତାରାଙ୍କ ମେଳରେ
କରିବାକୁ ହିସାବ ନିକାଶ
ଅତୀତର ଲାଭ-କ୍ଷତି
ଜୀବନର ଉପଲବ୍ଧି
ଆଉ ଦେଖିବାକୁ, ଆମ ନିଜ ନିଜ
ଭିନ୍ନ ଭିନ୍ନ ଆତ୍ମକଥା!