ସ୍ମୃତିକୁ ନ ନେଇ ଯଦି ଆସିଥାନ୍ତ
ଦେଖିଥାନ୍ତି ନୂଆକରି
ଓଠ ତଳେ ହସ ତୋର ଲାଗନ୍ତା ସହଜ,
ଆଖି ଲୁହେ ଦେଖି ବି ନଥାନ୍ତି,
ପ୍ରତାରଣା, କୁମ୍ଭୀର କାନ୍ଦଣା।
ଅତୀତଟା ମରିଯାଇଥାନ୍ତା
ପିଠି ପଛେ ଅନ୍ଧାରୁଆ
ଖୋରାକବିହୀନ ଭବିଷ୍ୟତ ଆଗେ,
ଦେଖି ତୋତେ
ତୋଳିଥାନ୍ତି, ନୂଆ ସ୍ବପ୍ନ ଗୋଟେ।
ଆଜି ମୋର ଜୀଇଁବାକୁ
ଅନେକ ଉଦ୍ୟମ,
ସ୍ବପ୍ନକୁ ବି ନେ’ତୁ ଛିଣ୍ଡେଇ
ଲୋଡ଼ା ନାହିଁ ନ ଦେଖିଲା ମୁହଁ
ପୁଣି ଯେବେ ଦେଖିବି ନିଜକୁ
ଠିଆ ହୋଇ, ଛୁଞ୍ଚି ମୁଣ୍ଡ’ପରେ
ମୁହାଁ ମୁହିଁ ହେବା ଯାଇ
ସକାଳର କଅଁଳ ଖରାରେ।
ତୋ ମୁହଁରୁ ଖୋଲିବି ଓଢ଼ଣା,
ଭୁଲିଯିବି ତୋ କୋଳରେ,
କେବେ ଅବା ଥିଲା ସେ ଅତୀତ
ମିଳି ମିଶି ବନ୍ଦ କରିଦେବା ଆଗେ
ଭବିଷ୍ୟର ସବୁ ଯିବା ବାଟ।