କୋଉଁଠୁ କେଜାଣି
ଛୋଟ ଛୋଟ ଡେଣା ନେଇ
ଆସିଥିଲୁ ଉଡ଼ି,
ଅଜଣା ରାଇଜୁ।
ଖୋଜିଲା ଆଖିରୁ ତୋର
ମାପୁଥିଲି ତୋ ଘର,
ଆଲୋକ ବର୍ଷରେ।
ଓଠ ଛୁଇଁ ଚାହୁଁଥିଲି, ବୁଝୁଥିଲି,
ତୋ ଦେଶର କଥା
ଅନୁଭବ କିଣିବାକୁ
ଯାତ୍ରା ଅତୀତର,
ଦେଖୁଥିଲି ମୁଁ ତୋତେ
ଆଖିପତା ଖୋଲି।
ଇନ୍ଦ୍ରଜାଲ ମୋ ମୁହଁର
ଦେଖି ବୋଧହୁଏ
ପଡ଼ିଥିଲୁ ତୁ ଅଡ଼ୁଆରେ,
ଛୋଟ ଛୋଟ ଗୋଡ଼-ହାତ
ବାଡ଼େଇ କାନ୍ଦିଲୁ,
ଟିକିଏ କାମନା ପାଇଁ
ଧରାକୁ ଛୁଇଁଲୁ।
ସୁକୁମାରୀ ସ୍ବର୍ଗର ତୁ ପରୀ
କାଦୁଆ ଦୁନିଆ ଆମ
ହୋଇଲା ସହଜ।
ଜୀବନକୁ ଜାଣିବାରେ
ହାତ ମୋ ଧରିଲୁ
ତାଗିଦ୍ ବି କଲୁ,
ଉଡ଼ିବାକୁ ତୋ ରାଇଜ କୋଳେ,
ପ୍ରାଣ ଭରିଦେଲୁ।
ବାଟ ତୋର ନେଲୁ ଏବେ ବାଛି
ଟିକି ଟିକି ଡେଣା ତୋର
ହୋଇଲାଣି ଭାରି,
ଉଡ଼ିବାକୁ ଆକାଶ ସେପଟେ
ଏ ଚେଷ୍ଟା ତୋହରି।
ମୁଁ ଜାଣେ, ତୁ ହେବୁ ଜଗତ ବିଜୟୀ
ଗଢ଼ିବୁ ତୁ ନୂଆ ବିଶ୍ବ,
ତୃପ୍ତିର ଆସର ହେବ ତୋର
ସବୁଠୁ ଅଲଗା
ସବୁଠୁ ସୁନ୍ଦର
କାମନା ରହିତ
ପରିପୂର୍ଣ୍ଣ, ପରିପକ୍ବ,
ହିଂସା,କ୍ରୋଧ ନଥିବ ତା ଦେହେ
ପ୍ରେମ, ସ୍ନେହ, ସବୁଜିମା ଭରା
ନିର୍ଝରିଣୀ ନଦୀର ସଂଗୀତ
ଟିପି ଟିପି ବରଷାର
ରାଗ ଓ ରାଗିଣୀ,
ଦେଖି ହେବି ଖୁସି ତୋତେ
ସେ ଦେଶର ରାଣୀ।