ଟିପି ଟିପି ବରଷା
ଚୁପ୍ଚାପ୍ ରଜନୀ କୋଳରେ
ଛାତି ତଳେ ସାଇତା
ସପନର ନିଭୃତ କୋଣରେ
ଧୀରେ ଧୀରେ ମୁଣ୍ଡ ଟେକି
ପାଉଁସର ଛିଟିକିଲା ନିଆଁ
ନଈକୂଳେ ବୁଡ଼ିଗଲା ସୂରୁଯ ଉହାଡ଼େ
ଘରଫେରା ଚଢ଼େଇ କେତେଟା।
ନାନାବାୟା ନାଉରିଆ ଗୀତ
ସାଇକେଲରେ ଚେଷ୍ଟାରତ
ପଡ଼ି ଉଠି ଚାଲିଥିବା
ଚପଳ ବାଳକ,
ମୁଣ୍ଡ ଦେଇ ତକିଆ ଉପରେ
ଗଢ଼ୁଥିଲି ମୋର ସ୍ବପ୍ନର ଭବିଷ୍ୟ
ଅନେକଥର ଆସିଥିଲ ତୁମେ
ଦେଖିବାକୁ ତୁମ ପାଇଁ ଜାଗା
ମୁହାଁମୁହିଁ ହୋଇ କେତେଥର
ଚିହ୍ନି ବି ନଥିଲି ଚିହ୍ନି,
ଦେଖି ବି ନଥିଲି ଦେଖି
ଜାଣିବାକୁ ନ ଥିଲା ଜିଜ୍ଞାସା।
ଦୂର ରାସ୍ତା ଆମ୍ବତୋଟା କଡ଼େ
ଗାଁ ଶ୍ମଶାନର ନୀରବ କୋଳରେ
ବସାବନ୍ଧା ପକ୍ଷୀମାନେ
ଫେରିଥିଲେ ଶାବକ ଗହଣେ,
ଅନେକଦିନ ପରେ
ଅନ୍ଧାରିଆ ବରଷାରେ
ଡାକିବାକୁ ସାହସ ନ ଥିଲା
ରାସ୍ତା ଆମ ପୃଥକ ପୃଥକ
ଫେରିବାର ଉପାୟ ନ ଥିଲା।
ସମୂଦ୍ରରେ ଅଜଣା ନିସ୍ତବ୍ଦ
କାହିଁଗଲେ ଚପଳ ଲହଡ଼ି
ହାତ ଠାରେ ଦୂରେ କେଉଁ
ବିଭୀଷିକା ତୋଫାନର
କ୍ରୁର ଆଗମନ।
ଆମେ ଦୁହେଁ ଉଡୁଥିଲୁ
ଦୂରେ କେତେ, ଅନେକ ଆକାଶେ
କ୍ଳାନ୍ତ ଡେଣା ଉଡ଼ିବାକୁ ଆହୁରି କାମନା
ଆକର୍ଷଣ ଭେଦକରି ଯାଇଥିଲୁ
ଅନ୍ୟ ପୃଥିବୀରେ।
ଏକ ପରେ ଏକ ହୋଇ
ଅନେକ ଆକାଶ
ଆକାଶର ପରିଧିରେ
ମୁଁ ଆଉ ତୁମେ।
ତୁମେ ମୋତେ ମୁଁ ତୁମକୁ
ଦେଖି ଚାଲିଥିଲେ,
ମୋ ଦେହରେ ତୁମମାନଙ୍କୁ
ଦେଲି ମୁଁ ହଜେଇ,
ପାଇବାକୁ, ଫେରିବାକୁ
କ’ଣ ଥିଲା ବାକୀ!
ପ୍ରକାଶିତ :‘ଅଭିଯାନ’ (କୋଲକାତା)