ସ୍ରଷ୍ଟା ମୁଁ
ମୋର କ’ଣ ନାହିଁ ଅଧିକାର
ଦେଖିବାକୁ ତୋ ମୁହଁରେ ହସ,
ଗୋଡ଼ ଟେକି ଚାଲିବା ଓ
ହାତଠାରି ଡାକିବାର ଦୃଶ୍ୟ?
ମୁଁ ସ୍ରଷ୍ଟା, ପଥଭ୍ରଷ୍ଟ
ନ ଦେଖିଲା ରାସ୍ତାରେ
ଖୋଜିଥିଲି ମୋର ଅତୀତ,
ଅଙ୍କାବଙ୍କା ନଈକୂଳେ
ଆମ୍ବ ତୋଟା ଉହାଡ଼ରେ,
ଅନ୍ଧାରୁଆ ଆକାଶରେ
ଅସରନ୍ତି ତାରା ମେଳେ
ଡୁବୁଥିବା ଚାନ୍ଦ।
ସ୍ରଷ୍ଟା ମୁଁ, ତୋ ହାତରେ
ଦେଖିଥିଲି ମୋ ଜୀବନ ଧନ,
ଚାହିଁଥିଲି ଜୀଇଁବାକୁ,
ଏ ଜୀବନ…
ବାକିଥିଲା ଯେତେ।
ସ୍ରଷ୍ଟା ମୁଁ
ମୋତେ ଗଲ ଭୁଲି,
ମୁଁ କିନ୍ତୁ ଭୁଲିନାହିଁ,
ମନେଅଛି
ସେହିଦିନ କଥା।
ଆସିଥିଲ ନେଇ କେତେ ସ୍ବପ୍ନ
ଆଉ କିଛି ଆଶା,
ଛାତିତଳେ ଗୁଞ୍ଜିଦେଇ
ବଂଚିବାକୁ କରିଲି ବାହାନା।
ସ୍ରଷ୍ଟା ମୁଁ,କ୍ଳାନ୍ତ ଏବେ;
ଚାଲିବାକୁ ପାଦେ ନାହିଁ ବଳ,
ସମୁଦ୍ରର ଲହରୀ ଭିତରେ ଦେଖୁଥିଲି
ଲୁଚକାଳି ଖେଳ,ଆଶା ନିରାଶାର।
ଯାଇଛେ ଆଗକୁ ଏବେ
ନିଜ ନିଜ ବାଟେ,
ପୃଥିବୀର ଅନେକ ଦୂରରେ,
ସ୍ରଷ୍ଟା ମୁଁ
ଏବେ ମୁଁ ମୋ ସୃଷ୍ଟିର
ଦୂର ଦିଗ୍ବଳୟରେ।