ଅନେକ ବେଳୁ ଠକ ଠକ କରି ଚାଲିଛି
ମୋ ହୃଦୟର ଚାରିଆଡେ ବୁଲି ,
ବାଟ ବା ପାଇବ କେଉଁଠି !
ବନ୍ଦ ଘରେ ବସିଛି ମୁଁ କାନକୁ ଜାବୁଡି ।
ସକାଳର ଲମ୍ବା କୀରଣ ଆସିଲେଣି
କବାଟର ଫୁଟା ଦେଇ ,
ଚଡେଇଙ୍କ ଚିକିର ମିକିର ବିରକ୍ତ କଲେଣି ,
ଆଉ ଚେଇଁ ଶୋଇ ହେବନାହିଁ ।
ମନେ ମନେ ବହୁତ ଗଳ୍ପ ,କବିତା ଲେଖିଲି,
ନାୟିକାମାନେ ନିଜ ନିଜ ବାଟରେ ଫେରିଗଲେଣି ,
ବୁଢିଆଣି ଜାଲରେ ଗୁଡେଇ ପୁଡେଇ ହେଉଥିଲି ,
ବୁଣିବାକୁ ମିଶା ମିଶି ନୂତନ କାହାଣୀ ।
ଭାବିଲି ଦେଖିନିଏ ଥରେ ବାହାର ପୃଥିବି ,
ଦେହକୋଣୁ ଶୁଢଙ୍ଗ କୁ ଚିରି
ଭରିଦିଏ ଆଲୋକରେ ଅନ୍ଧାରୁଆ ଭାଡି ,
ଖୋଲି ଦିଏ କବାଟ ଝରକା , କାହା ପାଇଁ ଡେରି ।
ଧୀରେ ଧୀରେ ଚାଲିଥିଲି ଆଖି ମଳି ମଳି ,
ଢାଳିଥିଲ ସରଗରୁ ପ୍ରେମଭରା ବାରି ।
କୁସୁମ ସୁଭାଷ ସଙ୍ଗେ ମୁକୁତାର ମାଳି,
ଧୋଇଗଲ ଦେହେ ଦେଇ ସାଗର ଲହରୀ ।
ତୁମେ ଥିଲ ମୁଁ ଥିଲି ଯୁଗ ଗଲା ବିତି ,
ପାପପୂଣ୍ୟ ଭଲମନ୍ଦ ଦେଇ , ଖେଳି ଲୁଚକାଳି ।
ଛାତିରେ ମୋ ହାତ ଦେଇ ଖୋଲି ଦେ ମୋ ଆଖି ,
ଦେଖିନିଏ ଭଲକରି ନେଇ ତୋର ଦୃଷ୍ଟି ।