ଅନୁଭୂତି ଅନେକ ପାଇଛି
ସ୍ବପ୍ନରେ ବା ଆଖି ଖୋଲି
ଦେଖିଛି ଯେତିକି ବୁଝିନି କାହିଁକି
କାହା ପାଇଁ ଏ ଯାତ୍ରା?
ମା’କୁ ଦେଖିଛି
ଆକାଶେ, ଜଙ୍ଗଲେ, ଜଳରେ
ଖରା ତାତି ପଥୁରିଆ ବିଲେ
ରାସ୍ତା କଡେ, ମାଟିତଡା ବେଳେ
ଟ୍ରେନ୍ରେ,ବସ୍ରେ
ମନ୍ଦିରରେ, ଭିକାରି ମେଳରେ।
ଦେଖି ବି ଦେଖିନି
ଆଖିରେ ତା ସପନ ଅନେକ।
ହାତ ଧରି ଚାଲିବା ଦେଖିଛି
ପେଟ ତଳେ, ପିଠି’ ପରେ
ବସିବା ଦେଖିଛି
ଯନ୍ତ୍ରଣାର ଲୁହ ମୁଁ ଦେଖିଛି
ଦେଖିଛି ତା ଲୁଚାଇବା କାନ୍ଦ
ସୀମାହୀନ ଚାହାଣୀ ଦେଖିବି-
ଜାଣିଲି ତା ମନର କଥା।
ପଶୁ-ପକ୍ଷୀ ଅନେକ ଦେଖିଲି
ଖରାରେ, ବର୍ଷାରେ, ବନ୍ୟାରେ
ମରୁରେ,ଜଙ୍ଗଲେ ଆଉ
ବଂଜର ଭୂମିରେ।
ତୁମକୁ ଦେଖିଲି ଯେବେ
ମନେହେଲା ସତେ
ଆମେସବୁ କେତେ.ଏକାପରି,
ତୋ ରୂପ ସବୁଠି ସମାନ
ମୁଁ କିନ୍ତୁ ଅନେକ ପୃଥକ।
ତୋ ପାଇଁ ନାହିଁ ମୋ ସମୟ
ତୋ କଥା ମନେ ନପଡଇ
ଦେଖି ନପାରେ ମୁଁ ସ୍ଥିର ଆଖି ତୋର,
ମନେ ନପଡେ ତୋ କୋଳର
ଉଷୁମ ପରଶ।
ସ୍ବପ୍ନ ମୋର ହୋଇଛି ନିଘୋଡ
ପରଦା ପଡିଛି ଏବେ ଚାରିପଟେ ମୋର,
ହାତ ଗୋଡ ବନ୍ଧା ମୋର
ବନ୍ଦୀ ମୋର ସମସ୍ତ ଭାବନା,
ମୁକ୍ତି ପାଇଁ ହାତପାତି ମାଗେ
ମୋ ତିଆରି ସାମ୍ରାଜ୍ୟ କାରାରୁ।
ହେଲେ ତୁ ଜାଣୁ ସବୁକିଛି…
ପିଲାଦିନେ ତୁ ଥିଲୁ ଯେମିତି ମୋ ପାଖେ,
ଆଜି ବି ସେମିତି।
ଏ ଯାତ୍ରାର ଅନେକ ପାହାଚ,
ଅନନ୍ତ ସମୟ ପରେ
ଆଉ କେବେ ପଚାରିବି ନାହିଁ
ଆମେ କ’ଣ ଥିଲେ କେବେ ଭିନ୍ନ!