ମୋ ଡେଣାର ଟିକି ଟିକି
ଶୁଖିଲା ପରକୁ
ଖୁଣ୍ଟି ଖୁଣ୍ଟି କାଢ଼ି ଚାଲିଥିଲି
ଚାହିଁଥିଲି
ନୂଆକରି ଆସୁଥିବା
କଅଁଳ ପରକୁ,
ଉଡ଼ିବାକୁ ଅହୁରି ଆଗକୁ।
ଆଗାମୀ ସଂଗ୍ରାମ ଆହୁରି ସୁନ୍ଦର,
ଅନେକ ସୁଗମ,
ଫୁଟିଲା ଗୋଲାପ ପରି
ସକାଳୁଆ ଶୀତର ନାଲିଆ ସୂରୁପ,
ହେଲେ ଉଡ଼ିବାକୁ
ନୂଆପର ଭରିବାକୁ ହେବ
ମୋ ଡେଣାରେ ଶତ ସିଂହବଳ।
ସତେ ତୁମେ
ତୁମ ରୂପ ବଦଳାଇ ପାର,
ଏଣ୍ଡୁଅର ରୂପ ପରି
ଆକାଶର ଦେହ ପରି।
ମୁଁ ପାରିବି
ତୁମ ଚାହିଁବାକୁ ଚାହିଁ
ଟିକି ଟିକି ପାଦ କାଢ଼ି
ଆକାଶକୁ ଡ଼େଣା ମେଲି
ତୁମ ହୃଦୟର ଆକଶରେ ଉଡ଼ିବୁଲି
ଦେଖି ନେବି
ଜୀବନର ଛୁପିଲା ରହସ୍ୟ
ପ୍ରକାଶିତ: ‘ଅଭିଯାନ’ (କୋଲକାତା:୨୦୧୩)