ଶାଳବଣର ବାସ୍ନା କାହିଁ ଗଲା
କାହିଁ ଗଲା ମହୁଲର ମତୁଆଲା ନିଶା?
ଖୋଜୁଥିଲି
ପାହାଡ଼ିଆ ରାସ୍ତା ଦେଇ
କାହିଁ ଗଲା ଚଗଲା ଝରଣା।
କୁଆଡ଼େ ମୋ ଗାଁ ସାଙ୍ଗ,
ନାଚ ଗୀତ,
ବଅଲ ଖେଳ,
ହାଟ ମେଳା, ଗଞ୍ଜା ଲଢ଼ା,
ଜଙ୍ଗଲର ଜାତି ଜାତି ଫୁଲ।
ପାଚିଲା ପଣସ ବାସ୍ନା
ଭାଲୁଙ୍କର ଡର,
ବୋଉର ଡାକରା,
ଆମ୍ବ ଚୋରୀ,
ଖାସି ମାଂସ ଭୋଜି,
କାହିଁ ଗଲା କେତେ ଦୂରେ
ମୋ ଗାଁ ଠାକୁରାଣୀ।
ଏଠି ଏ ଚା’ ବଗିଚାରେ
ସକାଳୁଆ କାକର,
କୁହୁଡ଼ିଆ ଝାପ୍ସା ସକାଳରେ
କାହିଁକି କେଜାଣି,
ବାସ୍ନା ଆସେ ମହୁଲି ଫୁଲର।
ବାଗାନର ସଜଡ଼ା ପତର
ଧାଡ଼ି ଧାଡ଼ି ବୁଦା ବୁଦା ଗଛ,
ସିଧା ସିଧା ରାସ୍ତା,
ଲବଙ୍ଗ ପତର,
ମନେ ଆଣେ ବନାବନା ପ୍ରକୃତି ସମ୍ଭାର।
ବେପରୁଆ ଜୀବନ ସେ
ଲୁଚିଗଲା ଚା’ ଝାଡ଼ି ତଳେ।
ବରଷା!ମୁଁ ଜାଣେ
ତୁ ବୁଝୁ ମୋ କଥା
ମୋ ପାଇଁ ପେଟ ଚିରି କାନ୍ଦୁ।
କେବେ ଦୂରୁ ମୋ ଗାଁରୁ
ଶାଳ ବଣୁ
ନେଇ ଆସୁ
ଆଖି ଲୁହ ଢ଼ାଳି ଦେଇ ଚା’ ବଗିଚାରେ,
କଅଁଳିଆ ପତର କଣରେ,
ବୋହିଦେଉ ମୋ ତତଲା ଦେହରେ।
ଫେରିଯିବି,
କେହି କ’ଣ ଧରିପାରେ ପବନକୁ?
ସମାଜ ଓ ଶାସନର
ପାଚେରିକୁ ଡେଇଁ,
ଗଢିନେବି ଶାଳବଣେ,
ମନଲାଖି ଘର।
ଆଖି ବୁଜି ପିଇଯିବି
ବାସ୍ନା ସବୁ-
ମଲ୍ଲୀଫୁଲ,ଶଳବଣ,
ଓଦାମାଟି
ଆଉଟିକେ ଚା’ ବଗିଚାର।