ତୁ ମୋତେ ଚିହ୍ନିଲୁନି
ଅନେକ ଜୀବନ ପରେ
ଦେଖାହେଲା ଯେବେ,
ବାଟଚଲା ରାସ୍ତାରେ
ଚା’ ଦୋକାନରେ
ଟ୍ରେନ୍ ଯାତ୍ରାବେଳେ
ଆଖିରେ ଆଖିରେ
କହିଲୁନି କିଛି।
ଜନ୍ମ ମୃତ୍ୟୁ ଦେଇଛି ଭୁଲାଇ
ମୋ ଭଲ ପାଇବା,
ଆଉ
ତୋ ଅଭିମାନ,
ନଈ କୂଳେ ଚୋରା ଚୋରା ପ୍ରେମ
ହାତ ଖୋଲି ଉଡ଼ିବାକୁ
ଅଦମ୍ୟ ଉତ୍ସାହ।
ଗେଣ୍ଡାଳିଆ ଚଢ଼େଇଙ୍କ ମେଳେ
ସବୁ ସତେ ଯାଇଛୁ ତୁ ଭୁଲି।
ଦେଖି ବି ଦେଖୁନା ମୋତେ
କହିବାକୁ ଡରୁ ଆଜି
କଥା ଥିଲେ ଯେତେ।
ତୋ ଆଗେ ଠିଆ ହେଲେ,
ତୋଳିଦେଉ ତୋ ହାତର ଫୁଲ
କେଉଁ ଦିଅଁ ଆଗେ।
କେବେ ନିଶ୍ଚେ ଦେହେ ତୋର
ଆସେ କିଛି ଝଲକାଏ କଥା,
ଆଖି ତୋର ଭରିଯାଏ
ମୁହଁ ଖୋଲି ଡାକିବାକୁ
ସଂସାରର ଡାକୁଆ ନାଆରେ।
ତୁ କ’ଣ ବୁଝିଲୁନି?
ଯେବେ ଆମେ ଆସିଥିଲେ ଛାଡ଼ି
ମହାଶୂନ୍ୟ ଅତଳ କୋଳରୁ
ନ ଥିଲେ ଅଲଗା ଆମେ
ନାହିଁ ଥିଲା ପରିଚୟ ଆମ
ନ ଥିଲା ସମ୍ପର୍କର ସଙ୍ଗୀ।
ଆଜି କିଆଁ କାହିଁ ତେବେ
ଖୋଜିବୁଲୁ ସଂସାରେ
ବିଭିନ୍ନ ନାଁରେ
ଦେଇ ମୋତେ କିଛି ଗୋଟେ ଚିହ୍ନ
ବାନ୍ଧିବାକୁ ଆବଦ୍ଧ କାରାରେ।
ଯେବେ ଆମେ ଫେରିଯିବା
ମୃତ୍ୟୁର ଅନ୍ତରେ, ଆଉ ଜନ୍ମର ଆଗରୁ
କ’ଣ ତେବେ ଚିହ୍ନିବୁନି ମୋତେ
ମୋ ଦେହେ ମିଶିବା ଆଗରୁ।