ଟୋପାଟୋପା ବରଷାରେ
ରାତ୍ରୀର ନିଃଶବ୍ଦ ଆଉ
କୋଳାହଳ ନିଶାଚରଗଣ
ଟପ୍ଟାପ୍ ସଙ୍ଗୀତ ଝଙ୍କାର
କୁଡ଼ିଆରେ…
କଖାରୁଲଟାର ଛତା ତଳେ,
ଖୋଜୁଥିଲି ମୋର ଜନ୍ମର କାହାଣୀ।
ବୁନ୍ଦାବୁନ୍ଦା ପାଣିଫୋଟକା ଭାସି ଯାଉଥିଲା,
ତାହାରି ବାଟରେ ସାଗରରେ ମିଶିଯିବା ପାଇଁ।
ଅସହାସିକ ମନୋବଳ,
ଅଶା ଆଉ ଅନେକ ବିଶ୍ବାସ
ସଶରୀରେ ଯିବା ପାଇଁ ସ୍ବର୍ଗ
ସତେପରା ମହାଭାରତର ବିଜୟୀ ନାୟକ।
ତୋ’ ଠାରୁ ମୋତେ ତୁ ଅଲଗା କରିଲୁ
ପାଣିଫୋଟକା କରି ମୋତେ ତୁ ଗଢ଼ିଲୁ
ସେ ତୋଫାନ ଓ ଘୋର ବରଷାରେ
ଆଶା ଆଉ ବିଶ୍ବାସର ଭରଷା ଦେଇ
ଛାଡ଼ିଦେଲୁ ମୋତେ
ରାତ୍ରୀର କଳା ଅନ୍ଧାରରେ।
ଭାସି ଭାସି ଅନେକ ବାଟରେ
ଏକ ହୋଇବା ଆମେ,
ପ୍ତତିଦ୍ବନ୍ଦ୍ବିତାର ଆବଶ୍ୟକ ନାହିଁ
ସ୍ରଷ୍ଟା ତୁମେ, ମୁଁ କାହିଁ ଅଲଗା ହୋଇବି!
ହେଲେ ସାଗରରେ ମିଶିବାପାଇଁ
ଆମର ଏ ଦୌଡ଼ ନିରର୍ଥକ,
ସେ ନିଜେ ଆଗେଇ ଆସିଛି।
ପ୍ରେମ ତୋର,ସ୍ନେହ ତୋର
ଫୋଟକା ଭିତରେ ଆବଦ୍ଧ
ତୋ’ଅସ୍ତିତ୍ବର ଆବରଣରେ ଲୁଚିଯାଇଛି,
ଦୂର କଲାପରେ ମୋତେ ପାସୋରିଲୁ
ମୋତେ ଆତ୍ମହରା କଲୁ ସିନା ନିଜକୁ ଭୁଲିଲୁ।
ମୁଁ ଆଉ କେହି ନୁହେଁ
ମୁଁ ପରା ତୁ, ଆଉ ତୁ ମୋର ସ୍ରଷ୍ଟା
ମୁଁ ଚାହେଁ ତୋ’ ପାଖେପାଖେ ରହି
ତୋ’ ହାତ ଧରି,
ଚାଲୁଥିବି ଧୀରେ ଧୀରେ
ମୋ ଭିତରେ ତୋତେ ଦେଖିବାକୁ।
ସାଗରର ଆବଶ୍ୟକ ନାହିଁ,
ସାଗର ଆଜି ମୋ ଭିତରେ,
ମୋତେ ମୁଁ ଭୁଲିଯିବାକୁ ହେଲେ
ଫୋଟକାକୁ ବଳି ଦେବାକୁ ହେବ,
ସାଁବାଳୁଆକୁ ଉଡ଼ିବାକୁ ହେଲେ
ତାର ଆବରଣ ଛାଡ଼ି ପ୍ରଜାପତି ସାଜିବାକୁ ହେବ।
ହେଲେ ମୋତେ କ’ଣ ପୁଣି କୋଳକୁ ନେବୁନି
ଗେହ୍ଲକରି ଉଷୁମ ଛାତିରେ ଜାବୁଡ଼ି ଧରିବୁନି?
ମୋ ଡେଣାରେ ଜୀବନ ଦେବୁନି
ମନରେ ପୁଣି ସେଇ ଆଶା ଓ ବିଶ୍ବାସ
ଭରି ଦେବୁ ନାହିଁ…?
ତୋତେ ଦେଖିବାକୁ ଓ ଜାଣିବାକୁ
ଆଉ ବୁଝିବାକୁ ତୋର ଅସୀମ ସ୍ବରୂପ
ତୁ କ’ଣ ଦେବୁ ନାହିଁ ମୋତେ
ମନ ଖୋଲି ଅନେକ ଆଶିଷ?
ପୁଣି ଯେବେ ଦେଖାହେବ ସମୟର ସେପାରିରେ
ସାଗର ଆଉ ବୁଦ୍ବୁଦର ଅନ୍ତରାଳେ
ମିଳନର ସେହି ମହାମହୋତ୍ସବେ
ତୁମ ମୁରିକି ହସ କୋଣେ
ମୁଁ ଲେଖିବି ମୋ ସ୍ବପ୍ନର କାହାଣୀ,
ମୋର ଅନନ୍ତ ଯାତ୍ରା ଆଉ ତାର ବିବରଣୀ
ତୁମେ ହୁଏତ ଖୁସିହେବ
ମୋତେ ଖୁସିକରି।
ପ୍ରକାଶିତ : (କୋଲକାତା)