ଚାହିଁ ରହିଥିଲେ ସେମାନେ
ମନର କଥା କହିବାକୁ।
ମୋ ଆଗେ
ସମୁଦ୍ରର ଲହଡ଼ି, ଗାତୁଆ କଙ୍କଡ଼ା
ରୋଗା କୁକୁର ଆଉ ଅଧା ଲଙ୍ଗଳା
ନେଉଳିଆ ଟୋକା।
କିଛି ଦୁରେ ଦେଖୁଥିଲି ପ୍ରକୃତିର ମେଳା।
ନାନା ଜାତି ଫୁଲ
ସବୁଜ ସମ୍ଭାର,
ଅନାବନା ଜଙ୍ଗଲ,
ଶୁଖା ବରଗଛ
ସେମାନେବି କହିବାକୁ ଥିଲେ,
ବସିଥିଲେ ମୁଁହପୋତି ଅନେକ ବରଷ।
ସେମାନେ ସବୁ ଚିହ୍ନା ଚିହ୍ନା
ପାଖେ ପାଖେ ଥାଇବି ଅଦୃଶ୍ୟ।
ଆଖି ଥାଇ ସାଜିଥିଲି ଅନ୍ଧ,
କାନ ଥାଇ ଥିଲି ମୁଁ ବଧିର,
ହୃଦୟର ଭାଷା ଜାଣି
ଥିଲିମୁଁ ଅଜଣା।
ମୁଁ ଥିଲି ଅଗୋଚର
ପାଇବାକୁ ଜୀବନର ପ୍ରକୃତ ବାସନା।
ନିଷ୍ଠୁର ହୃଦୟ ସତେ
ମୁଁ ଥିଲି ସବୁଠୁ ଅଲଗା,
ଦେଖି ଶୁଣି ଥିଲି ବାଟ ବଣା।
ଭୁଲିଥିଲି ମୁଁ ନିଜକୁ,
ଶୁଣିଥାନ୍ତି ଆଉ ବା କାହାକୁ।
ଧୀରେ ଧୀରେ ଦେଖିଲି ଭିତରେ
ଦେଖା ଦେଲେ ଗୋଟି ଗୋଟି ହୋଇ
ଫୁଳ ଫଳ ଗଛ ଲତା ସାଗର ଲହରୀ,
ପଶୁ ପକ୍ଷୀ, କଣ୍ଟା ଝଟା
ରାସ୍ତାର ଭିଖାରୀ।
ମୋ ଭିତରେ ସମଗ୍ର ସଂସାର
ମୁଁ ଥିଲି ପ୍ରତିଟି ଅଣୁରେ,
ଜୀବନର ପ୍ରତି ଅନୁଭବ
ଦେଖୁଥିଲି ପ୍ରକୃତି କୋଳରେ।
……………