କହିବାକୁ ଅନେକ କଥା ଥିଲା ଯଦି
କହିବି କହିବି ବୋଲି
କହି ପାରିଲିନି,
ମୋ ପାଟି ବନ୍ଦ କରି
କାରାଗାରେ ଶିକୁଳିରେ ରଖି
ଚୁପ୍ ଚାପ୍ ରହିବାକୁ କହି
ଭୟ ଓ ଯାତନାରେ ଧମକ ଦେଇ
ମୋତେ ଛାଡ଼ିଦେଇ।
ମୁଁ ଏବେ ଶିକୁଳିରେ ଅନେକ ଅଭ୍ୟସ୍ତ
ଖେଳଣା ହୋଇଛି ସେ
କାରାଗାର ଉନ୍ମୁକ୍ତ ଆକାଶ।
ଆଲୁଅରେ ଆଖି ବନ୍ଦ କରେ
ଜୀବନ ଶିଖିଛି ଆଜି ଜୀଇଁବାକୁ
ଅଜଣା ରାସ୍ତାରେ,
ହାତଧରି ଫେରାଇବା ପାଇଁ
ପୁଣି କେତେ ନେହୁରା ମୁଁ କରେ।
ମୁଁ ଆଜି ମୃତ୍ୟୁର ସେପଟେ
ନୂଆ ଏ ଜୀବନ, ନୂଆ ଏ ସକାଳ
କହିବାକୁ ଭୟ ନାହିଁ
ଆଶଙ୍କାର ଝଡ଼ ନାହିଁ,
କାରାଗାର ଭୁଶୁଡ଼ିଯାଇଛି।
ମୁଁ ଖୋଜେ ତୋତେ
ଏତିକି କହିବି ବୋଲି
ମୁଁ ତୋତେ ଭଲପାଏ।
ଆଦରରେ ଗେହ୍ଲା କରିବାକୁ
କପାଳରେ ଆଉଁଶିବା ପାଇଁ
ମୋ କୋଳରେ ଶୋଇଦେବା ପାଇଁ
ହାତ ଧରି ବୁଲିଯିବା ପାଇଁ
ଚୁପ୍ କରି ହାତ ଛାଡ଼ି
ଲୁଚି ଯିବା ପାଇଁ।
ଡର ଡର ଆଖିର ଲୁହ ପୋଛିବାକୁ
ମୋ ମନର କଣ୍ଟାବାଡ଼ ଭେଦୀ
ପୁଣି ଥରେ କହିଦେବା ପାଇଁ
ମୁଁ ତୋତେ କେତେ ଭଲପାଏ!
ହେଲେ ଏବେ ମୋତେ ରହିବାକୁ ହେବ
କାଳର ସମାପ୍ତି ପରେ
ମାୟା ମରୀଚିକାର ସେପାଖରେ
ହସ-କାନ୍ଦ ଓ ସୁଖ-ଦୁଃଖର ଅନେକ ଦୂରରେ,
କାଳେ ତୁ ଦେଖା ହେବୁ!
ତୋତେ ଦେଖି କହିବିନି କିଛି
ଆଖିରେ, ହସରେ, ଛାତିର ଭାଷାରେ
ତୁ ନିଶ୍ଚେ ବୁଝିଯିବୁ।
ହେଲେ ସବୁକିଛି ଏକ ହୋଇଯିବ
ମୁଁ ନିଜେ ନିଜକୁ କହିଚି
ମୁଁ କେତେ ଭଲପାଏ
ତୋତେ ମୋତେ
ଆମ ସମସ୍ତଙ୍କୁ।