ସେ ନୁହେଁ, ତୁମେ ନୁହଁ
ପିଲାଦିନ ସାଙ୍ଗ ବି
ଭାଇଭଉଣୀ ତା’ ବାଟରେ
ଏ ଅନ୍ଧାରେ ଛାଇ ନାହିଁ।
ଆଶାବନ୍ଧ ମୋର, ଦୂରେଇଦେଇଛି
ଝରଣାର ରାସ୍ତା,
ଆସିଥିଲ ସାଥୀ ହେବା ପାଇଁ
ରଙ୍ଗ ତୁମ ଭିନ୍ନ,
ଯମୁନାର ଧାର ହୋଇ
ରହିଲି ଅଲଗା।
ସେ ଥିଲା ନଥିଲା ପରିକା
ସଂଗମର ସରସ୍ବତୀ
ମାନସର ବର୍ଣ୍ଣାଳୀ
ହୃଦୟର ରକ୍ତାକ୍ତ କଣିକା।
ବାଟର ବାଟୋଇ ମୁଁ
ନଦୀର ନାବିକ
ଶୁଣିଛି ମୁଁ ସାଗରର ଡାକ
ଯାତ୍ରା ମୋର ଅବିଶ୍ରାନ୍ତ
କହିବାକୁ ମୋହରି କାହାଣୀ
ଗାଇବାକୁ କବିତା ନିଜର
ଆଙ୍କିବାକୁ ମନର ମାନସ
ନ ଥିଲା ସାହସ।
ଏକା ହେବା କେତେ ଭଲ
ଅନୁଭୂତି ଅନେକ ଜରୁରୀ
ଚିହ୍ନିବାକୁ ଜୀବନକୁ ମୋତେ,
ମୋ ନିଜକୁ
ହେବା ପାଇଁ ବୁଦ୍ଧ, ମହାବୀର
ମିଶିଯାଇ ମହାଶୂନ୍ୟେ
ମାପିବାକୁ ମହାସମୁଦ୍ରର
ତୋଳିବାକୁ ଲହରୀର ମାଳ।
ଜ୍ଞାନୀ ହୋଇ ପ୍ରତାରିତ ହେବା
ହଜେଇ ନିଜକୁ
ଗଣିତର ସମୀକରଣରେ
ସଂଘର ଜ୍ୟାମିତିରେ ବୁଦ୍ଧଙ୍କୁ ବାନ୍ଧିବା
ଜୀବନର ଦୁଇ ଅଧ୍ୟାୟରେ
ସବୁକିଛି କଳନା କରିବା
ସତେ କେତେ କଷ୍ଟ
କେତେ ବା ଜଟିଳ।
ତୁମେ ଯଦି ଥାଆନ୍ତ ସାଙ୍ଗରେ
ତୁମେ ଯଦି ଧରିଥାନ୍ତ ହାତ
ଲୁଚକାଳି ନ ଖେଳି ମୋ ସଙ୍ଗେ
ଠିକ୍ ଠାକ୍ ଦେଇଥାନ୍ତ ଦେଖା,
ମାନ-ଅପମାନ ସବୁ ନେଇଥାନ୍ତ ମୋର
ସୁଖ-ଦୁଃଖ ନଥାନ୍ତି ମୁଁ ଜାଣି,
ସେ, ତୁମେ, ମୁଁ ସବୁ
ଅଲଗା ନ ହୋଇ
ହୋଇଥାନ୍ତେ
ସେମାନେ ଅବା ତୁମେ ଅବା ଆମ୍ଭେ।
ଦୁଇକୂଳ ଏକ ହୋଇ କହି ଚାଲିଥାନ୍ତେ
ମୋ ଭିତରର ମଣିଷ
ତୁପ୍ ଚାପ୍ ବସିଥାନ୍ତା
ମୁଁ ହୁଏ ତ ମୋ ପାଇଁ
ଗାଇ ଚାଲିଥାନ୍ତି
କଥା କହି ମୋତେ
ହାତ ଧରି ମୋର
ନାଚି ନାଚି,
ଆଙ୍କି ଆଙ୍କି
ମୋହରି କବିତା।
କ୍ଳାନ୍ତ ମୋର ହାତ-ଗୋଡ଼
ବୋହି ବୋହି
ମୃତ ଦେହ ମୋର।
ଶ୍ମଶାନର ଚାରିପଟେ ବୁଲି ଚାଲିଥିଲି
ତୁମ ନାମ ଗାଇ
ବୋଝ ମୋର ରଖିଦେଇ
ଆସିଥିଲି ଫେରି।
କ୍ରୋଧ କାହାପାଇଁ
ଲୋଭ, ମୋହ ଚିତାରେ ମିଶିବ
ଫେରିବାର ବାଟ ଚାହିଁ
ତୁମେ ହେଲେ
ଜାବୁଡ଼ି ଧରିବ,
ତୁମ ଭିତରେ
ହଜିଥିବା ମୋର-
ସେହି ମୃତଦେହେ
ବନ୍ଦୀ ସ୍ବାଧୀନ ସଂଗ୍ରାମୀ।
ପତ୍ରସବୁ ଝଡ଼ି ଗଲାପରେ
କିଶଳୟ ମୁହଁ ଖୋଲିଲେଣି,
ଥୁଣ୍ଟା ଗଛସବୁ ଅରଣ୍ୟକୁ
ଉଲଗ୍ନ କରିଛି।
ହେଲେ ପଲାଶର ଚାଦର ଚଢ଼େଇ
ନୂଆ ଶାଢ଼ୀ ଆଦରିନେଇଛି।
ତୁମେ ଆଜି ଆହୁରି ସୁନ୍ଦର,
ନାଲି ଶାଢ଼ୀ ଆଉ ହାଲୁକା ସବୁଜ,
ଗଢ଼ିବାକୁ ଆଉ ଏକ ଘର
ତୁମେ ହେବ ମୋ ପ୍ରେମିକ
କଣ୍ଠେ ମୋର ଭରିଦେବ
ଆଉଥରେ ନୂଆ ଗୋଟେ ଗୀତ।