ମୋତେ ବୁଝିବାକୁ ଚେଷ୍ଟା ନ କରି
ତୁ ତୋ ବାଟରେ ଚାଲିଯା ,
ତୋତେ ଅନେକ ବାଟ ଯିବାକୁ ଅଛି
ସଞ୍ଜ ନ ହେଉଣୁ ଧରିନିଏ ତୋ ବାଟ ।
ଆମେ ପୁଣି ଦେଖା ହେବା
ନଈ ତୁଠରେ ଅବା ଆମ୍ବ ତୋଟାରେ,
ଆଖିର ଧିମା ଆଲୁଅରେ ,କିମ୍ବା
ଚିହ୍ନା ଅଚିହ୍ନା ଆଙ୍ଗୁଳି ଠାରରେ ।
ହୁଏତ ଜାଣିଯିବା ପରସ୍ପରକୁ ,
କପାଳରେ ସମୟର ଗାରକୁ ଛୁଇଁ
ବିଗତ ଜୀବନର ଅନୁଭବକୁ ପାଇ ,
ଦେଖା ଆଦେଖା ଚାହାଣୀକୁ ନେଇ ।
ଦେଖି ନେବା ଶୁଖିଲା ଲୁହର ଗାରରେ
ହଜିଲା ସ୍ମୃତିର ଥୁଣ୍ଟା ପାହାଡ ,
ଥରିଲା ଥରିଲା ହାତ ମୁଠାରେ
ଜାବୁଡି ଧରିବା ଛାତିଭିତରର କୋହ ।
ଚାଲ କୁଟା ବିଣ୍ଡାର ନିଆଁକୁ
ଭଲକରି କୁହୁଳେଇ ନେବା ,
ଆଖି ବୁଜୁ ବୁଜୁ ଦି ଢୋକ ଧୂଆଁ ନେଇ
ଛାତିଭିତରେ ନୂଆ ଜୀବନ ଭରିଦେବା ।
ଆଉ ଡେରି କରି ଲାଭ ନାହିଁ
ବୁଝିବାକୁ ପରଖିବାକୁ ବେଳ ନାହିଁ
ଯାହା ହଜିଗଲା ତାକୁ ଭୁଲିଯିବା
ଯାହା ଅଛି ତାକୁ ନେଇ ଫେରିଯିବା ।