ଆକାଶରେ ଅନେକ ମେଘ,
ନୃତ୍ୟରତ ଅପ୍ସରା ଓ
ଗନ୍ଧର୍ବ ଙ୍କ ଅପୂର୍ବ ସଙ୍ଗୀତ ।
ଆଙ୍କି ଚାଲିଛି ଅନେକ ଚିତ୍ର
ଜଙ୍ଗଲ , ପାହାଡ, ଝରଣା ଓ ହ୍ରଦ ,
ଚଢେଇ ଙ୍କ କଳରବ ,
ଆତଙ୍କିତ ପଶୁଙ୍କର କୋଳାହଳ ସ୍ଵର ,
ତୁହା ତୁହା ବାଘୁଣୀର ଡାହ,
ଜୀବନର ଅସରନ୍ତି ରଙ୍ଗ ।
ମେଘ ମେଳେ ଯାଇଥିଲି ହଜି ,
ଭୁଲିଥିଲି ଯାତ୍ରା ମୋର
ଭେଦିବାକୁ ଆକାଶ ପରିଧୀ ।
ବହୁଦୂରେ ନେଳିଆ ଆକାଶେ
ଟିକି ଟିକି ତରା ,
ମିଞ୍ଜି ମିଞ୍ଜି ସଞ୍ଜୁଆ ଗାଁ ର
ଶିଆଳଙ୍କ ମୁହଁ ,
ସତେ ଅବା ନୂଆ କେଉଁ ଦେଶ
ଅଜଣା ରାଇଜେ ।
ସବୁ ଏଠି ଅଚିହ୍ନା ଅଚିହ୍ନା
ଅଜଣା ଅଶୁଣା,
ହେଲେ ,
ସ୍ମୃତି ର ଆଦେଖା ରେଖା ,
ଦେଖିଥିଲି ଯାହା କେବେ
ତୋହରି ଓଠରେ ,
ଭିଡ ଭାଡ ରାସ୍ତା ରେ ,
ଦୋକାନ ବଜାରରେ ,
ନରମ ଆଖିରେ ,
ଆଉ କେବେ ଦରଦି ଗଳାରେ ।
ଶୀତୁଆ ସକାଳ ଆଜି
ମେଘ ମୁକ୍ତ ନେଳିଆ ଆକାଶ ,
ସୁଲୁ ସୁଲୁ ପବନରେ
ତୋ ବଇଁଶି ସ୍ଵର ,
ଭାସି ଆସେ କୁସୁମ ସୁଭାଷ ,
ମତୁଆଲା ଓଠ ର ପରସେ
ଛାତିତଳୁ ନେଇ ଥିଲି
ତୋ ଦେହର ଗରମ ନିଶ୍ଵାସ ।
ଏ ଯାତ୍ରାରେ ତୁମେ କେବେ ସୀତା,
କେବେ ରାଧା , ଆଉ କେବେ ଉମା ,
ଅନେକ ନାମରେ ଦେଖା
ତୁମେ ଅନାମିକା ।
ଭରିବାକୁ ସାହସ ଦେହରେ
କରିବାକୁ ଆମ ଏହି ଯାତ୍ରା ।