ସମୟର କିଛି ଦାଗ
ରହିଯାଏ ରାସ୍ତା କଡ଼େ,
ପିଲାଦିନ ଲୁଚକାଳି ଖେଳ,
କୈଶୋରର ସିନେମା ଦେଖା,
ପୁଣି ଅବା ଚିଠି ଲେଖା
ପହିଲି ଯୌବନରେ।
ଅନେକ ବାଟ ଗଲା ପରେ
କେବେ ଯଦି ମନେପଡ଼େ
ତୋ ମୁହଁର ହସ,
ଫେରିଯାଏ ସବୁ କିଛି ଭୁଲି
ଖୋଜି ଚାଲେ ବହି ପୃଷ୍ଠା ମେଲି,
ଦେଖିବାକୁ ଶୁଖିଲା ଗୋଲାପ।
ଫସିଲ୍ ଦେହରେ କିଛି
ଆଖିର ଭାଷାରେ କିଛି
ଅଧାକୁହା ପ୍ରେମର କବିତା।
ହେଲେ,
ଦେଇଥିଲ କଥାରେ ଦୂରେଇ,
ଛାତିର ଦରଦେ କିନ୍ତୁ
ପାରିଥିଲି ଜାଣି।
ଅତୀତର ପୃଷ୍ଠା ସବୁ ଗଢ଼ିଥିଲେ
ଖରାବେଳ ଝାଞ୍ଜି ପବନରେ,
ଆମ୍ବଗଛ ଉହାଡ଼ରୁ ଥାଇ
ଦେଖିଥିଲି ତୋ ଯିବା ବାଟ।
ସମୟର କ୍ରୋଧ
ଆଉ ବୟସର କ୍ଳାନ୍ତି
ଭୁଲେଇ ବି ପାରିଲେନି
ସେ କେତୋଟି ଚିହ୍ନ,
ବାଟୋଇର ଟୋପା ଟୋପା ଝାଳ
ସତେଜ କରାଇଦିଏ
ଯେବେ ଦେଖେ ସେ ଶୁଖିଲା ମୁହଁ।