ଯାଇଥିଲି ଦିନେ ପରୀଙ୍କ ମେଳେ,
ଦେଖିବାକୁ କିଛି ଗାଁ ବାହାରେ।
ବଜାର, ସହର, ତୀରଥ ଧାମ
ବୁଲି ଆସିଥିଲି ଜଙ୍ଗଲ ହ୍ରଦ।
ସାଗର ବେଳାରେ ମାଙ୍କଡ଼ ନାଚ,
କାଦୁଆ ବିଲରେ ଚାଷୀଙ୍କ ଗୀତ।
ଡ଼ଙ୍ଗାରେ ନାଉରୀ କହୁଛି ଗପ,
କେଳାଙ୍କ ବାଜାରେ ନାଚୁଛି ସାପ।
ଦେଖି ଚାଲିଥିଲି ଆମ ଏ ଦେଶ,
ହିମାଳୟ ଠାରୁ ସମୁଦ୍ର ପାଖ।
ଶୀତଳ ବପନ ବରଫପାତ
ଅଜସ୍ର ବରଷା,ଗ୍ରୀଷମ ତାପ।
ସବୁଜ କ୍ଷେତକୁ ବାଲିଆ ଭୂଇଁ,
କାହିଁ ବଢି, କାହିଁ ଶୁଖିଲା ନଈ
ଏପଟେ ସହରେ ଚାଲିଛି ଭୋଜୀ,
କୁକୁରଠୁ ଟାଣେ ରୁଟିକେ ଯୁଝି,
ସ୍କୁଲ୍ ଛପରରୁ ଗଲୁଛି ପାଣି
ଓଦା କାନ୍ଥ ସବୁ ପଡ଼ି ଗଲେଣି।
ମାଆ ହାତ ଧରି ଚାଲିଛି ରାଣୀ,
ଯୋତା,ଛତା ସାଙ୍ଗେ ବହି ବସ୍ତାନି।
ମାଆ କୁ ଝୁରୁଛି ଛେଉଣ୍ଡ ପୁଅ,
କିଏ ତା ଆଖିରୁ ପୋଛିବ ଲୁହ?
ଧନ,ପଇସାର ଯେଉଁଠି ଢେର,
ସେଠିନାହିଁ ସ୍ନେହ ମମତା ଡୋର।
ପୁଅପାଳେ ମାଆ କାଟି ତାର ପେଟ
ବଡ଼ ହୋଇ ସିଏ ରଖିବ ଟେକ।
ବୁଢା ବାପା ଆଜି ପିଣ୍ଡାରେ ଏକା,
ବସିଛି ଦେଖିବ ତା ନାତି ଟୋକା।
ବିଚିତ୍ର ଜୀବନ ବୁଝି ହୁଏନା,
କିଛି ଟା ନାଟକ, କିଛି ବାହାନା।
ଡାକ୍ତର, ହାକିମ ହୋଇବା ବୃଥା,
ମଣିଷ ନ ହେଲେ ସବୁ ଅଯଥା।
ଜାଣିଲି ଦେଖି ଏ ଦୁନିଆ ହାଟ,
ଗର୍ବ ଅହଂକାର ସବୁର ନାଟ।
ବଡ଼ ହେବା ପାଇଁ ସଭିଙ୍କ ମନ,
ଚାଲ ବୁଝି ନେବା ତାହାର ମର୍ମ।
ମଣିଷ ହେବାକୁ ଯେବେରେ ମନ,
ଆସ ଜାଣିନେବା ତାର ମରମ
ସ୍ବାର୍ଥତ୍ୟାଗ,ତାଗ,ସେବା ଶିଖିବା ବେଗେ
ଏ ଶପଥ ନେଇ ବଢ଼ିବା ଆଗେ॥