ସଞ୍ଜ ବେଳ ଏବେ,ଘର ଅଗଣାରେ
ମାଡ଼ି ଆସେ ରାତି,ଝିଣ୍ଟିକାର ସ୍ବରେ।
ବାଡ଼ି ଗାଡ଼ିଆରୁ କୁହାଟୁଛି ବେଙ୍ଗ
ଚହୁଁରା ମୁଳରେ ନୁଆ ବୋହୁ ଟିଏ
ହୁଳହୁଳି ଦେଇ ଜାଳୁଅଛି ଦୀପ।
ଅନ୍ଧାରୁଆ ଲତା ପତର ଭିତରୁ
ଫୁଟେ ଜହ୍ନି ଫୁଲ ନ ଚାହିଁ କାହାକୁ।
ହଳଦିଆ ପାଖୁଡ଼ାରୁ ହାଲୁକା ବାସନା
କରି ଦିଏ କ୍ଳାନ୍ତ, ଶ୍ରାନ୍ତ ମନ ମତୁଆଲା।
ତୁ ନୁହେଁ ସୂର୍ଯ୍ୟମୁଖୀ, ପଦ୍ମ କି ଗୋଲାପ
ନାହିଁ ମନେ ରମିବାକୁ ପାଗଳ ପ୍ରେମିକ.
ଆସୁ ଆସୁ ଝଡ଼ିପଡ଼େ କୁହୁଡ଼ି ଆଘାତେ
ସକାଳର ସୁରୁଜକୁ ନକରି ଅପେକ୍ଷା,
ହଳଦିଆ ଚାଦରର ପାରି ଦେଉ ଶଯ୍ୟା
ବହୁଦୂର ଆକାଶେ ଚନ୍ଦ୍ରମା,
ହସି ଉଠେ ଜହ୍ନି ଫୁଲ,
ମନେ ନାହିଁ ଇର୍ଷା
ଅନ୍ଧାରୁଆ ଜୀବନ ତାହାର,
ଦେଖେନାହିଁ ବାଟ କେବେ ପୂର୍ଣ୍ଣିମା ଜହ୍ନର।
ପରିତୃପ୍ତ ସେ ସଦା କ୍ଷଣିକ ସୁଖରେ,
ଡର ନାହିଁ ମଉଳି ଯିବାରେ।
ଭରିଦିଏ ମହକ ହୃଦୟେ,
ଦେଇଯାଏ ଟିକେ ରଙ୍ଗ
ଅଳସ ଜୀବନେ।