ଦୁନିଆର ସବୁ ଭଗବାନ
ନିଜ ନିଜ ସାମ୍ରାଜ୍ୟ ଭିତରେ
ପ୍ରତିଦ୍ବନ୍ଦ୍ବୀ କେହି ନାହିଁ
ନାହିଁ କିଛି ବା ଲାଳସା
କିଛି ଲୋଭ ମୋହମା଼ୟା
ଅବା କିଛି ସ୍ନେହ ଓ ଶରଧା।
ଏ ଦୌଡ଼ ଅନେକ ଦିନରୁ
କେତେ ଆସି କେତେ ଗଲେ
ଅସରନ୍ତି ଠିକଣା ଏହାର
ରାସ୍ତା କଡ଼େ ଅନେକ ଶରୀର
ଭଙ୍ଗା ଗୋଡ଼େ ହାଲିଆ ମଣିଷ
ପଥହରା ଅନ୍ଧମାନେ
ଏକା ଏକା ନିଃସଙ୍ଗ ଶରୀର।
ଶୁଷ୍କ ମରୁଭୂମି
ଶାଗୁଣାର ଛାଇ ତଳେ
ପେଟ ଚିରି ରକ୍ତ ନେଇ
ତୃଷା ତାର କରିଥିଲା ଶାନ୍ତ।
ସତେ ଏଠି ଅନେକ ଜୀବନ
ଭିନ୍ନ ଭିନ୍ନ ଦେହ ନେଇ,
କାହିଁ ଗଲା ସାଗରର ଗଭୀରତା
ନଦୀର ଉନ୍ମାଦ
ପାହାଡ଼ର ଧ୍ୟାନମୂର୍ତ୍ତି
ଜୀବନର ଚିହ୍ନ।
କ୍ଷତ-ବିକ୍ଷତ ସମୟ ମୋ
ଅଶରୀରୀ ଆତ୍ମା
ବୁଝେନା ବୁଝିସବୁ
କହିବାକୁ କେହି ନାହିଁ
ଶୂନ୍ୟ ମଞ୍ଚ,
ମିଞ୍ଜି ମିଞ୍ଜି ତାରା ଖାଲି
ଶ୍ମଶାନର ସଭ୍ୟସବୁ
ଗଲେ ନିଜ ବାଟେ,
ଶୁଣିବାକୁ କେହିନାହିଁ
ଗଳ୍ପସବୁ ପୋଥି ତଳେ
ଅପେକ୍ଷାରେ ସମୟର ଶେଷ।
ଏବେ ଯଦି ଦେଖିଥାନ୍ତି ତୋତେ
ଛାତି ମୋର ହୁଅନ୍ତା ଶୀତଳ
କ୍ରୋଧ,ଲୋଭ, ମୋହ ସବୁ
ଲୁଚି ଯାଇଥାନ୍ତେ
ଫେରିବାକୁ ପୁଣିଥରେ
ଦୂରନ୍ତ ଦିଗ୍ବଳୟେ
ଆଉ ଏକ ପୃଥିବୀର
ବିଚିତ୍ର ଆକାଶ।