(୧)
ଯା ଚାଲିଯା,
ତୋ ଆଗରୁ ସେହି ବାଟେ
କେତେ ଗଲେଣି, କେତେ ଯିବେ।
କିଏ ଦେଖୁଛି ତା ହିସାବ ଖାତା?
ବାଟ ହୁଡ଼ି ଦେଇ
ଅଜଣା ବାଟ ଧରିନେ।
କିଏ ଜାଣେ……
କିଛି ନୁଆ ଅନୁଭୁତି ମିଳିପାରେ
ନୂଆ ଲୋକ ଆସି ପାରନ୍ତି ସାଂଗରେ
ନୂଆ ଗଳ୍ପର ଆସରରେ
ହୃଦୟକୁ ମିଳିବ ଆରାମ,
ମନରେ ଭରିଯିବ ଉତ୍ସାହ।
ଡରି ଡରି ଚାଲିବାରେ କି ଲାଭ?
ଜୀବନକୁ ନୁଆକରି ଜୀଇଁବାରେ କେତେ ଆନନ୍ଦ!
ପ୍ରତ୍ୟେକ ସମ୍ଭାବନା ରେ ସମସ୍ତ ଜୀବନ,
ମନଭରି ଦେଖିନେବା ଚାଲ,
ଆମ ଚାରିପଟର ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟ।
(୨)
ନଈ ପଠାରେ ଡେଣା ମେଲେଇ
ବସିଅଛେ ଆମେ
ଆମ ଯାତ୍ରା ସକାଳୁ ସଞ୍ଜ ପର୍ଯ୍ୟନ୍ତ
ଏ ତୁଠରୁ ଦୂର ପାହାଡ଼ ଯାଏ,
କଳା ମେଘର ବାଦଲ,
ଡେଇଁବାକୁ ହେବ।
ଦେଖି ନେବା ପାହାଡ଼ ପାରିର କ୍ଷେତ,
ନଈ ଧାରେ ଧାରେ ଉଡ଼ିଯିବା,
ସାଗର ବେଳାକୁ।
କି ଲାଭ ଝୁରିବାରେ,
ନଈପଠା ଶୁଖିଲା ତୁଠକୁ?
(୩)
ତଣ୍ଟିର ଶୋଷକୁ ବୁଜାଇବା ଚାଲ,
ସାଗର ତାକୁ ନିଅଣ୍ଟ
ଡେଣା ମେଲାଇ ଉଡ଼ିଯିବା,
ଦେଖିନେବା,
ତୋ ତିଆରି ଏ ବିରାଟ ବିଶ୍ବ।
ସବୁ ଭୋକ ଛାଡ଼ି ଦେବି ତୋ ପାଖେ।
ମନଭରି ଉଡ଼ିନିଏ
ଖୋଲି ଦିଏ ଶିକୁଳିର ଜାଲ।
ପଛେ ଛାଡି ଉଡ଼ି ଚାଲେ ଅନେକ ଆକାଶ।
ତୋ ସୀମାର ଅନ୍ତ ନାହିଁ
ମୋ ଯାତ୍ରାର ଶେଷ ନାହିଁ।