ତୁମ ପାଇଁ ଲେଖିବିନି
ମୋ କବିତା,
ରାଣ ଦେଇ କହିଥିଲ ମୋତେ,
ଧମକ ଗଳାରେ ଅଙ୍ଗୁଳି ଦେଖାଇ
ମନାକଲା ପରେ,
ମୋ କବିତା ଫେରି ଯାଇଥିଲା
ତା’ ଆସିବା ବାଟରେ।
ଦେଖୁଥିଲି ଚୁପ୍ଚାପ୍ ବସି
ତୋ ଆଖିର କଥା,
ତୋ ବନ୍ଦ କବାଟକୁ
ଦେଇଥାନ୍ତି ଧକ୍କା।
ହେଲେ, ମୋ ହାତକୁ ବାନ୍ଧିଥିଲେ
ଅନେକ କବିତା,
ଇଚ୍ଛା ଥାଇ ନ ଥିଲା ସାହସ
ବୁଣିବାକୁ ତୋ ରାସ୍ତାରେ
ହଜାରେ କବିତା,
ବେଳା ବୁକେ ଅନନ୍ତ ବାଲୁକା,
ଗଢ଼ିଥିଲେ ଘର ସେଠି
କେତେ ମରୀଚିକା।
ଚାହିଁଥିଲି ଦୌଡ଼ିଯିବି
ତୁମ ଛାଇ ପଛେ,
ହେଲେ
ତୁମେ ଥିଲ ସ୍ବପ୍ନ ଦେଶେ
ମରୀଚିକା ସହରରେ,
ଦ୍ବାର ଯା’ର ଥିଲା ରୁଦ୍ଧ
ପ୍ରହରୀ ଅନେକ,
ଚାହିଁଥିଲ ସ୍ବଇଚ୍ଛାରେ
ବନ୍ଦୀ କରି ରଖିବାକୁ
ମୋ କବିତା ସ୍ରୋତ।