ଅନନ୍ତ ସୀମାର ଦୁଇ ଗୋଲାର୍ଦ୍ଧରେ,
ଜୀବନ ରେଖାର ଦୁଇ ପାଖେ,
ସଜାଗ ପ୍ରହରୀ ସୁଖ ଆଉ ଦୁଖ ।
ଲାଗେ କେତେ ଅଲଗା ସେମାନେ
ହେଲେ , ଗୋଟିଏ ସିଢିର ଦୁଇ ଧାର ।
ପାହାଡ ଓ ସାଗରର ସୀମାରେ ବନ୍ଧା
ଚିର ସ୍ରୋତା ନଦୀର ଆଦିମ ପ୍ରବାହ ।
ପାହାଡର ଝରଣା ଅବା ସାଗର ସଙ୍ଗମ,
ଜୀବନର ଆରମ୍ଭ ବା ନିର୍ବାଣର କ୍ଷଣ ,
ଗତିଶୀଳ ଜୀବନର ଅସରନ୍ତି ସ୍ରୋତ
ପାପପୁଣ୍ୟ,ସତମିଛ ପରିଧି ବାହାରେ
ଆଣିଦିଏ ସବୁବେଳେ ଭ୍ରମ ର ପାହାଡ ।
ତୁମ ଭଲ ପାଇବା ଓ ପ୍ରତାରଣା ,
ରାଗରୁସା ଅଭିମାନୀ ମିଠା ମିଠା କଥା
ସବୁ ଏକା , ହେଲେ ବି ଅଲଗା ।
କାହା ପାଇଁ କରିଚାଲେ ବୃଥା ଏ ଭାବନା ?
ସାଗର ଓ ଲହରୀ ହେଲେ ବି ଅଭିନ୍ନ ,
ଗଢିଚାଲେ ମନ ଇଚ୍ଛା କେତେ ସବୁ ଦ୍ଵନ୍ଦ ।
ତୋ ପ୍ରେମ ସ୍ନେହର କାଣିଚାଏ ଅଙ୍ଗ ,
ଅଲଗା କେଉଁଠି ଛାଡିଲେ ବି ସାଙ୍ଗ ?
ବରଷାର ବିନ୍ଦୁ ହୋଇ ମିଶିଯିବି ତୋ ଦେହ କୁ ଛୁଇଁ ,
ମୋ ପ୍ରାଣ ଢାଳିଦେବି ତୋ ପ୍ରେମ ସାଗରେ ,
ଦୂର ଦିଗବଳୟ ଆକାଶ କୋଳରେ ,
ଭୁଲି ଯିବି ମୁଁ କେବେ ଥିଲି ଏକା ତୋତେ ଛାଡ଼ି ।
ସୁଖ ଦୁଖ ମିଶି ଯାଏ ତୋ ହୃଦ କୋଣରେ ,
ଫେରିଯାଏ ସାଗର ପାହାଡ କୋଳରେ ,
ଆଖି ଖୋଲି ହାତଧରି ଦେଇଛ ଭୁଲାଇ ,
ମନଗଢା ଦ୍ଵନ୍ଦ ଏଠି ମଣିଷ ତିଆରି ।