ବେଳେ ବେଳେ ଭୁଲି ଯାଏ
ନିଜ କଥା ଭାବି ଭାବି-
ଆଉ କେଉଁ ବାଟ ଧରିନିଏ।
କିଛି ବାଟ ଏକା ଗଲା ପରେ
ତୁମ କଥା ସତେ ମନେ ପଡ଼େ।
କେବେ ତୁମେ ଦେଖା ଦିଅ
ଭୋକିଲା ପେଟରେ
ଅବା କେବେ ଧାଡ଼ି ବନ୍ଧା କଙ୍କାଳ
ହଜିଲା ଆଖିରେ।
ତୁମକୁ ପାଇ ହରାଇବାର ଯନ୍ତ୍ରଣା
ଶୁଖିଲା ଘା ଦେଇ ମାଡ଼ି ଆସେ।
ବୁଝି ପାରେନା ମନ କଣ ଖୋଜେ,
ବନ୍ଦୀ ହୋଇ ପଡ଼ି ରହିବାକୁ ,କିମ୍ବା
ଆକାଶ ଡ଼େଇଁ ଉଡ଼ି ଯିବାକୁ
ସମୟ ଗଡ଼ି ଚାଲେ ତା ବାଟରେ,
ନଦୀର ସ୍ରୋତ ଦେଖେନା ପଛକୁ।
ଫେରି ଆସନ୍ତି ଦଳ ଦଳ ଚଢ଼େଇ
ଘରମୁହାଁ ଗାଁ ଗାଇ ଗୋରୁ।
କାଁ ଭାଁ କେବେବା କେମିତି
ବ୍ୟତିକ୍ରମ ହୁଏ
ସାହସ କୁଳେଇ ଛୋଟିଆ ଚଢ଼େଇ
ଉଡ଼ି ଯାଏ ଆଗକୁ ଆଗକୁ
ଜୀବନକୁ ନୁଆକରି ଜୀଇଁବାକୁ
ସାଗରର ଜଳ ଲଙ୍ଘି
ମନର ପରିଧି ବାହାରେ
ପାଇବାକୁ ଠିକଣା ନିଜର
ପାରି କରେ ଅନନ୍ତ ଆକାଶ।
ଜୀଇଁଲିଣି ବହୁବର୍ଷ ବନ୍ଦୀର ଜୀବନ
ଶିକୁଳୀକୁ କରିଥିଲି ସାଥୀ
ଅନ୍ଧାରୁଆ କୋଠରୀରେ
ଗଢ଼ିଥିଲି ସ୍ବପ୍ନର ପ୍ରାସାଦ
ଜଞ୍ଜିରର ଶବ୍ଦ ନେଇ
ଗଢ଼ିଥିଲି ଅନେକ ସଂଗୀତ।
ବହୁ ଦୂରୁ ଭାସିଆସେ ଶିତୁଆ ପବନ
ଗୁଣୁ ଗୁଣୁ ମନ ଛୁଆଁ ଗୀତ।
ମିଞ୍ଜି ମିଞ୍ଜି ପତଳା ଆଲୁଅ
ଢ଼ାଳିଦିଏ ଅଜଣା ନକ୍ଷତ୍ର।
ମତୁଆଲା କରିଲାଣି ବଣମଲ୍ଲୀ,
ହେନାର ସୁଗନ୍ଧ।
ଭାଙ୍ଗିଗଲା ଅସୁଆ ନିଦ,
ତୁହା ତୁହା କାନେ ବାଜେ
ଗାଇଆଳ ବଇଁଶୀର ସ୍ବନ।
ଖୋଲିଲାଣି ଶିକୁଳୀ କୋଲପ
ବନ୍ଦୀଘର ଆଲୋକିତ,
ଡେଣା ଖୋଲି ଉଡ଼ିବାକୁ ଆସ,
ମନ ଭରି ଦେଖିବାକୁ
ଅଜଣା ରହସ୍ୟ।