ମୋ ପୁଅ!
ତୁ କେବେ ଚାଲି ଚାଲି ଥକିବୁନି,
ସ୍କୁଲ-ପହଞ୍ଚିଲା ପରେ।
ବରଷାର କାଦୁଆ ରାସ୍ତାରେ,
ଅଧା ଓଦା ଛତା ଧରି,
ଡେରି କରି,
ବେଞ୍ଚରେ ଠିଆ ହେବୁନି।
ତୋ ନାକରୁ ଛିଙ୍କିଲା ଶବ୍ଦ
ଛାତିକୁ ଦିଏ କଷ୍ଟ,
ନିଜେ ପଛେ ବାଛି ନେବି ଦୁଃଖ
ତୋ ଆଖିରେ ଦେଖିବିନି ଲୁହ,
ଜଳାଇ ଏ ଜୀବନକୁ
ତୋ ଜୀବନେ ଆଣିବି ଆଲୋକ।
ହେଲେ
ଦେଖିବି ତୋ ଆଖି କୋଣେ କେବେ
ପରିତୃପ୍ତିର କିରଣ?
ଦିନରାତି ଏକ କରି,
ତୋ ମୁହଁରେ ବାଢ଼ିଦେବି
ସମସ୍ତ ସମ୍ବଳ।
ହେଲେ
ଜୀବନର ଅଫୁଟା ଆନନ୍ଦ
କେବେ କ’ଣ ମିଳେ
ଦୁନିଆର ଅଫୁରନ୍ତ
ଧନ ଦରବରେ?
ମୋ ପୁଅ!
ଦେଇଥାନ୍ତି ଯଦି ଟିକେ
କାଦୁଅ ଛିଟିକା,
ବୋଧହୁଏ ବୁଝିଥାନ୍ତୁ,
ସବୁସୁଖ ଲୁଚିଅଛି
ଟିକି ଟିକି ଅସଜଡ଼ା ଦେହେ।
ଟିକେ କାନ୍ଦ
ଟିକେ ହସ
ଛାତି ତଳ
ଲୁଚିଲା କୋହରେ।
ପାଇବୁ ତୁ ଆନନ୍ଦ ଲହରୀ
ସାଗରକୁ ତୋଳିଦେଇ
ବାଟୋଇ ହାତରେ,
ଅଧା ତିନ୍ତା,
ଝିପି ଝିପି ବରଷା ରାତିରେ।
ପ୍ରକାଶିତ: ‘ଆମେ ଓଡ଼ିଆ’