ଆଖି ମଳୁ ମଳୁ ଉଠି ବସେ
ଦେଖିବାକୁ ତୁମ ଆସିବା ବାଟ ,
ଅନ୍ଧାରୁଆ ଅତୀତ ର ପେଟ ଚିରି
ତୁମ ଆଗମନରେ ବିଞ୍ଚି ଦିଏ
ଜାତି ଜାତି ଫୁଲର ଗାଲିଚା ।
ଅଗଣିତ ପକ୍ଷୀ ଙ୍କର ଗଳାରେ ଭରିଦିଏ
ଆଗମନୀ ସଙ୍ଗୀତର ହୃଦ ସ୍ପର୍ଶୀ ରାଗ ଓ ରାଗିଣୀ ।
ଆଲୋକିତ କରେ ଅଂଶୁମାନ
ଏ ଧରାକୁ ଭରି ତାର ରଶ୍ମୀ ।
ଭୁଲେଇଛୁ ଜୀବନର ସବୁ ଦୁଖ କଷ୍ଟ
ଅବସ ମୋ ଗୋଡ ହାତ ହୋଇଛି ସୁଦୃଢ ,
ମରିଗଲା ସ୍ଵପ୍ନ ରେ ମୋ ଛିଞ୍ଚି ସଞ୍ଜିବନୀ
ଭରିଦେଲୁ ନୂଆ ସମ୍ଭାବନା ,
ଗଢିବାକୁ ଆଧାଗଢା କୋଣାର୍କର ଚୋଟୀ ।
ସକାଳ ଆଣିଦିଅ ହଜିଲା ଯୌବନ ,
ନାଚି ବାକୁ ନବଦ୍ଵୀପେ ଚୈତନ୍ୟ ତାଳରେ ,
ଅଙ୍କୁରିତ କର ଶୁଖିଲା ବୀଜ କୁ
ଦେଇ ସ୍ପର୍ଶ ପ୍ରେମର ବରଷା,
ଗଢି ତୋଳେ ତୋ ମୂରତି ମୋ ମନ ମନ୍ଦିରେ ।
ସକାଳ ତୁ ଧୋଇ ଦେଲୁ
ପାଦ ଚିହ୍ନ ସାଗର ବେଳାରୁ,
ବୋହିନେଲୁ ଅନା ବନା ଅଜସ୍ର ସ୍ମୃତିକୁ ,
ସୂରୁଜର ପ୍ରଥମ ଆଭାରେ
ସଜାଇଲୁ ପ୍ରସସ୍ଥ ପ୍ରାଙ୍ଗଣ ।
ମୁଠା ମୁଠା ଓଦା ବାଲୁକାରେ
ଚେଷ୍ଟା କଲି ଗଢିବାକୁ ନୂଆ ମାଟି ଘର ।
କଣ୍ଠରେ ମୋ ଭରି ନୂଆ ରାଗ
ଗାଇବାକୁ ଆସିଥିଲି ତୋ ପ୍ରେମ ସଙ୍ଗୀତ ।
ସକାଳ ! ତୋ କୋମଳ ପଣତ
ପୋଛିଥିଲେ ମୋ ଆଖିର ଶୁଖିଲା ଲୋତକ ।
କେମିତି ଭୁଲିବି କହ
ତୋ ସ୍ନେହ, ତୋ ଉଷୁମ ପରଶ
ନିର୍ଜୀବ ଏ ଜୀବନରେ ଦେଉଥିଲେ ପ୍ରାଣ ।
ସକାଳ ! ମୁ ଆଜିଯାଏ ଖାଲି ଦେଇଛି ନିରାଶା,
ରାତିର କଳା ଅନ୍ଧାର କୋଠିରେ
ହଜେଇଛି ସଜଫୁଟ। ଉଷା ।
ସମୟର କସାଘାତ କରିଛି ସବଳ
ଡେଣା ମେଲି ଉଡିବାକୁ ପାଇଛି ସାମର୍ଥ୍ୟ ।
ସାଗରକୁ ପାରକରି ଆକାଶ ସେ ପାଖେ
ଦେଖି ନେବି ସବୁକିଛି ସଞ୍ଜୁଆ ରାତିରେ ।
ଅନ୍ଧାରୁଆ କୋଠରୀରୁ ଯେବେ ଯିବୁ ଫେରି
ନୂଆ ଗୋଟେ ସକାଳର ବଇଁଶୀ ସ୍ଵରରେ ,
ମିଶି ଯିବି ନାଚି ଗାଇ ଉତ୍ସବ ବିଭୋରେ ।