(୧)
ଏଥର ମୋ ଗାଁ ନଇ ଦେଖି
ଲାଗିଲା ନିରାଶା।
ପବନରେ ଫିକା ମାଦକତା,
ନାଉରିୟା ଗଳାର ଶୁଖା ଶୁଖା ସ୍ବର,
ଆଉ ବେତାଳିଆ ଲହଡିର ମାଳ,
ଶୁନ୍ୟତାର ଅଦ୍ଭୁତ ଆଭାସ,
ଓଜନିଆ କରିଥିଲା ମନ।
ଚୁପ୍ ଚାପ୍ ଚଢ଼େଇ ଙ୍କ ମେଳ
ରଙ୍ଗହୀନ ପ୍ରଜାପତି
ବାସ୍ନାହୀନ ଜଙ୍ଗଲୀୟା ଫୁଲ
ଶାନ୍ତ ଓ ଅବଶ ଆଜି ଗାଁ ନଇ ତୁଠ।
ମା ଛେଉଣ୍ଡ ପିଲା ମୁଁ
ଫେରୁଥିଲି ମୋ ଗାଁ ମାଟିକୁ,
ନୁଆ କରି ସକାଳୂ ସକାଳୁ।
ହାତ ମେଲି ଡାକିବାର ଦେଖିଲିନି କେହି,
ଶୁଖିଲା ମୋ ଗାଁ ଦାଣ୍ଡ
ଆତ୍ମା ଗଲା କାହିଁ?
(୨)
ସବୁକିଛି ଯାଇଛି ବଦଳି,
ଶାଗଭଜା ବଡିଚୁରା ପଖାଳ ତୋରାଣୀ।
ତୋ ମସିଆ କାନିର ପରସ,
ଅଭିମାନୀ ତାଗିଦ୍ ଚାହାଣୀ।
ଦେଖିଲିନି ହାଣ୍ଡି ଶାଳେ ମାଉସୀ,ବୁଢ଼ୀମା,
କୁକୁର ବିଲେଇ ସଂଗେ ପଡୋଶୀଙ୍କ ପିଲା,
ଖରାବେଳେ ଆସିଲେନି
ଯୋଗୀ କି ଭିକାରୀ,
ଗାଁ ଘର, ପିଣ୍ଡା ଓ ଅଗଣା
ଦିଶେ ହତଶିରୀ।
ମଣିଷ ମୁଁ ମୂଲ ତାର ବୁଝିକି ପାରିଲି
ଯେବେ ସବୁ ଥିଲା ନିଜ ପାଖେ।
ହଜିଗଲେ ସରିଗଲେ ଖୋଜି ଚାଲେ
ପାଇବାର ଆଶେ।
ଏବେ ବି ମୁଁ ଅସହାୟ
ତୋ ବିନା ,
ଫୁଲ ଫଳେ ନଈ ଧାରେ
ଆ ତୁ ଫେରିଆ।
(୩)
ଜୀବନର ପ୍ରତ୍ୟେକ ସୋପାନେ
ମୋ ପାଖେ ତୁ ହି ଥିଲୁ ଠିଆ,
ଆଜି ଆଉଥରେ
ମୋ କବିତା କଙ୍କାଳରେ,
ଜୀବନ ଦେଇଯା।
ମା-ଛେଉଣ୍ଡ ପିଲାଟାମୁଁ ତୋ କୋଳେ ଧରିଥା