ତୋର ତୁ,
ଆଉ ମୋର ମୁଁ,
ହଜିଗଲା ପରେ
ତୁ ଆଉ ମୁଁ
ଖୋଜି ଚାଲିଥିଲେ,
ବଜାର ଘାଟରେ,
ଖବର କାଗଜର
କୋଣାନୁକୋଣରେ।
ଧରିଆଣି ଦେବା ଦଣ୍ଡ
କଲିଜାକୁ କରିବା ଶୀତଳ,
ବାନ୍ଧିବାକୁ ଅନୁଶାସନରେ
ଗଢ଼ିବାକୁ ସଜଡ଼ା ସମାଜ॥ ୧॥
ଲହରୀକୁ କରିବା ଅଲଗା
ସାଗରର ଗଭୀର ଜଳରୁ,
ଆକାଶରୁ ପୋଛିଦେବା
ଝାପ୍ସା ଇନ୍ଦ୍ରଧନୁ।
ଫୁଲରୁ କାଢ଼ି ନିଅ,
ଯେତେ ଅଛି ବାସ୍ନା
ବନ୍ଦ ହେଉ ମୟୁରର ନାଚ
ରୁଦ୍ଧ କର କୋଇଲିର କଣ୍ଠ॥ ୨॥
ତୁ କହୁ ଆମେସବୁ
ଜୀବନ ସଂଗ୍ରାମେ ଗଢ଼ା ଖାଲି
ଯିବାକୁ ଆଗେଇ,
ଆଗକୁ ଆଗକୁ ଆହୁରି ଆଗକୁ।
ନିରର୍ଥକ ଛୋଟ ଛୋଟ ହସ,
ବୃଥା ଯେତେ ପଥର ପଥିକ,
ଗଳ୍ପ ସବୁ ମନଭୁଲା,
ଅକାରଣ ଆମ କଥାବାର୍ତ୍ତା॥ ୩॥
ଜାଣେନା କାହିଁକି
ମାନେନା ମୋ ମନ,
ଇଚ୍ଛାହୁଏ ହଜିବାରେ
ସତେ ଅଛି ଅନେକ ଆନନ୍ଦ।
ପିଲାଦିନ ଲୁଚକାଳି ଖେଳ
ଛୋଟ ଛୋଟ ଚଗଲାମୀ
କୋହଭରା କାନ୍ଦ,
ହଜିବା ହିଁ
କେବଳ ଜୀବନ॥ ୪॥
ତୁ ପାରୁ ତ, ଦେ
ମୋତେ ବି ମିଶାଇ
ସେ ଢେଉରେ,
ଦେବି ମୁଁ ଭୁଲେଇ
ମୁ ନିଜକୁ।
ଖୋଜିନେବା
ତୋର ତୁ
ଆଉ ମୋର ମୁଁ ’ କୁ॥ ୫॥