ମୋ ଯାତ୍ରା
ଜନ୍ମରୁ ମରଣଯାଏ,
ସକାଳୁ ଆରମ୍ଭ କରି
ନଈକୂଳେ,ସ୍ବରୂପ ନଇଁଲାଯାଏ,
ଚାଟଶାଳୀ ଖଣ୍ଡିଆ ଘରୁ
ତକ୍ଷଶୀଳା, ନାଳନ୍ଦା ପର୍ଯ୍ୟନ୍ତ
ଖାଲି ସବୁ ଫେରିବାର ବାଟ।
ଶୁଖିଲା ପାହାଡ଼ଝରା
ପ୍ରେମର ଲହରୀ
ଦ୍ରୁତଗାମୀ ନଦୀସବୁ
ବାହୁଡ଼ା ଯାତ୍ରାର,
ଦୂର ଯେତେ, ଫେରିବା ସେତିକି
ଅକାରଣେ ଆମ ଯାତ୍ରା
ଲକ୍ଷ୍ୟହୀନ, ଭିତ୍ତିହୀନ
ଅନାବଶ୍ୟକ
ଅଯଥା ଉଦ୍ୟମ।
ପାଇବାକୁ ନାହିଁ ଇଚ୍ଛା
ହାରିବାକୁ ନାହିଁ ଡର
ଗଢ଼ିବାକୁ ନାହିଁ ଆଉ ଘର
ଅତୀତର ନାହିଁ ଜ୍ଞାନ
ଭବଷ୍ୟତ କରେନା ଆହ୍ବାନ
କୋଠରୀରେ ଏକା ଏକା
ମୋ ନିଜ ଭିତରେ
ଆଖି ବୁଜି ଦେଖୁଥିଲି
ଦୁନିଆ ସମସ୍ତ।
ସହଜ ସରଳ କେତେ
ତୋ ପୁରୁଣା ହସ
ଜଙ୍ଗଲର ଅନାବନା ଗଛ
ଅସଂଯତ ବନଲତା
ପ୍ରକୃତିର ପ୍ରେମର ସଙ୍ଗୀତ।
ମୋ ଯାତ୍ରା କଠିନ ହୋଇଛି
ଧରି ଗୋଟେ ବ୍ୟବସାୟୀ ମନ,
ଅକାଶକୁ କରିଛି ଆବଦ୍ଧ
ଫ୍ଲାଟର ସଂକୀର୍ଣ୍ଣ କୋଳରେ
ଗୋଲାପକୁ ଦେଇଛି ଶିକୂଳି
ଛାତ ଛପର ଗମଳା ମାଟିରେ।
ଉନ୍ମାଦ ମୃଗୁଣୀ ପରି କସ୍ତୁରୀ ଆଶାରେ
ଧାଇଁ ବୁଲେ ଜଙ୍ଗଲ ଭିତରେ
କ୍ଳାନ୍ତ ପଥିକ,
ଆବଶ୍ୟକ ବିଶ୍ରାମ ଅନେକ।
ବିଶ୍ବବିଜୟୀ ତୁମେ ଶେଷକର ଯାତ୍ରା
ଆଖି ବୁଜି ଦେଖିବାର ବେଳ,
ଛାତିରେ ସାଇତା କେତେ
ଅନୁଭବ ଜନ୍ମ ଜନ୍ମାନ୍ତରର,
କ’ଣ ଥିଲା ପ୍ରମାଣେ ସିଦ୍ଧାନ୍ତେ
କାହାକୁ ଆହ୍ବାନ
କାହା ପାଇଁ ଏତେ ସବୁ ଚେଷ୍ଟା
ଯୁଦ୍ଧର ପ୍ରସ୍ତୁତି!
ମୁଁ ଥିଲି ଅନନ୍ତ କାଳରୁ
ଅଜେୟ ଅକ୍ଷୟ
ମହାସାଗରର ଅକଳନ ତୃପ୍ତି।