ଅନେକ ଥର
ଚାହିଁଥାଏ ତୁମ ଆସିବାକୁ,
ଆଖିପତା ମେଲି
ରହିଥାଏ ପାଇବାକୁ
ତୋ ପରଶକୁ।
ଆସିଥିଲ ଆକାଶର ଛାତି ଚିରି
ବିଞ୍ଚିବାକୁ ତତଲା ଦେହରେ
ଟୋପା ଟୋପା ଲୁହ,
ପ୍ରତୀକ୍ଷାର ଦିନସବୁ
ଯାଇଥିଲା ସରି
ତୁମ କୋଳେ ମୁଣ୍ଡ ଦେଇ
ଭିଜି ଯିବା ପାଇଁ
ବାହୁ ତଳେ ବାନ୍ଧିବାକୁ
କରିଥିଲି ଚେଷ୍ଟା।
ଶ୍ରାବଣର ସକାଳକୁ
କରିଥିଲ ମନ୍ତ୍ରମୁଗ୍ଧ
ସଂଗୀତର ଝଙ୍କାରରେ
ତୋଳିଥିଲ ଅମୃତର ପାତ୍ର,
ସବୁଜିମା ନୃତ୍ୟରତ
ଦେହେ ଥିଲା ପ୍ରେମର ପର,
ଚାତକର ଶୁଖିଲା କଣ୍ଠରେ
ଆଣିଥିଲ ମନ୍ଦାକିନୀ
କରି ଆତ୍ମହରା।
ପୁଣି ଥରେ ସାଗରରେ
ଆସିଲାଣି ଝଡ଼,
ଛିନ୍ନ ଛିନ୍ନ ଦେହକୁ ମୋ
ଲୋଡ଼ା ଟିକେ ଜଳ,
ଥେଣ୍ଟା ଗଛେ ଦେଖିବାକୁ
ନୂଆ କିଛି ପତ୍ର,
ମନ ଖୋଲି ଡାକିଥିଲି
ଆସିବାକୁ ଭରିଦେଇ
ପ୍ରେମର ସାଗର।
ଅଦିନ ବର୍ଷା ହେଲେ ବି
ଗଢ଼ିଦିଅ ଶ୍ରାବଣର ମେଳା
ଗଢ଼ିତୋଳ ଆଉ ଗୋଟେ
ନୂଆ ଜୀବନକୁ,
ଭିଜିଯିବି ତୁମ ସଙ୍ଗେ
ନାହିଁ ଡର ଏ ଝଡ଼କୁ,
ସବୁ ଯେବେ ଥମିଯିବ
ଫେରିଯିବ ତା’ ବାଟରେ
ପ୍ରକୃତିର ଏ ତାଣ୍ଡବ
ଜୀବନର ନୂଆ ଯାତ୍ରା
ଫେରିଯିବ ଅଦିନ ବର୍ଷାରେ।