ପ୍ରଥମ ବର୍ଷାରେ ଓଦା ହୋଇ
ଗଜା ମାରିଲେଣି ମୋ ଅତୀତ,
ଅମାନିଆ ଢେଉ ପରି
ମାଡ଼ି ଆସିଲେଣି, ଅଜସ୍ର ବଉଦ।
ଛାତି ଖୋଲି, ଆଖି କୋଣୁ ବୋହି ଦେଲି
ବରଫ ଘରୁ କେଇ ଟୋପା ପାଣି।
ବରଷାର ଧାର ଚାଲିଛି ଅବିରତ,
ଆଷାଢ଼ରୁ ପାର କରି ଶ୍ରାବଣ;
ଶୁଖିଲା ନଈରେ ବନ୍ୟାର ପ୍ରକୋପ।
କେତେ ବର୍ଷାର ଶୁଖିଲା ଗଛ
ଭାସି ଯାଉଛି ମଝି ଧାରରେ
ଗାଁ ତୁଠରୁ ଦେଖୁଥିଲି
ନଈବଢ଼ିର ଦୃଶ୍ୟ।
ଆଖି ଆଗରେ ବହି ଯାଉଥିଲା,
ପିଲାଦିନର ଏଣୁତେଣୁ ଅନେକ କିଛି
ଛୋଟମୋଟ ଅନୁଭବ।
ତିନ୍ତିଲା ମାଟିରୁ ବହି ଆସୁଥିଲା
କିଛି ଅଭୁଲା ମହକ।
ଇଚ୍ଛାକରି ନ ପାରିଲି ଧରି,
ମୋ ବାଟରେ ଏକା ଚାଲିଯିବି।
ଶୁଖିଲା ଘାସରୁ ଫୁଲ ଆସିଲାଣି,
ନଈ ସେପଟରୁ ଡଙ୍ଗା ନେଇ
ଫେରିଲେଣି ଚାଷୀ।
ଏ ବର୍ଷ ଏମାନେ
ଧାଡ଼ି ବାନ୍ଧି ଚାଲିଯେବେ ସହରକୁ
ବୁଢ଼ାବୁଢ଼ୀ ଚାହିଁ ବସିଥିବେ
ମାଗଣା ଭାତକୁ।
ହାତେ ଦେଇ ଦୁଇ ପଟ ରୁଟି
ନେଇଯିବେ ଭୋଟ ସବୁ ଗଣି,
ଶୁଖିଲା ଆଖିରେ ଚାହିଁଥିବେ
ଖଣ୍ଡିଆ ଘରକୁ।
ମୋ ଗାଁ ଚାଷୀ
ସହର ଫୁଟ୍ପାଥ ଉପରେ,
ଏ ବର୍ଷାରେ ପଲିଥିନ ଘରେ,
ପଡ଼ି ରହି ଭାବୁଥିବ
ତା’ ପୁରୁଣା ଘର।
ଚୁପ୍ଚାପ୍ ଶୁଣୁଥିବ
ଛପର ଉପର, କଖାରୁ ପତରେ
ପ୍ରଥମ ବର୍ଷାର ଟୁପ୍ଟାପ୍ ଶବ୍ଦ।