Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

ଟାଙ୍ଗରା ଭୂଇଁ


ଶୁଖିଲା ପାହାଡ ତୁମେ

ସବୁଜ ହୋଇଛ ମୋ ଆଖିଆଗରେ ,

ଝାଳ ହୋଇ ବରଷାର ଧାର

ଦେଖୁଥିଲି ,ବହିଯାଉଥିଲେ କରି କଳନାଦ ।

ଥୁଣ୍ଟା ଗଛ ଗୋଟି ଗୋଟି ହୋଇ

ପିନ୍ଧିଥିଲେ ସବୁଜ ପତର ,

ପଥରିଲା ଲାଙ୍ଗଳା ଦେହକୁ ତୋର

ଦେଇ ଥିଲେ ଢାଙ୍କି ଯତନରେ

ନା ନା ଭାବେ ଲତା ଓ ଫୁଲରେ ।

 

ପଶୁ ,ପକ୍ଷୀ , କୀଟ ଙ୍କ ଗୀତରେ

ଜୀବନେ ତୋ ଆଣିଥିଲେ ସଙ୍ଗୀତର ସ୍ରୋତ ,

ନୃତ୍ୟରତ ବାନରଙ୍କ ତାଳେ ,

ନାଚୁଥିଲେ ବୃକ୍ଷ ଶାଖା ମାନେ।

ବରଷା ଏ ଜୀବନରେ ଭରି ଦେ ତୁ ପ୍ରାଣ ,

ଟାଙ୍ଗରା ଭୂଇଁ କୋଳରେ ଯାଦେଇ,

ଯାତି ଯାତି ଫୁଲ ଆଉ ଫଳ ।

ପାଟି ଆଁ କରି ଚାହିଁଛି ତୋ ବାଟ,

ଗଳାରେ ତା ଭରିଦେ ତୁ ଦେଇ ଟିକେ ଜଳ ।

ଟାଙ୍ଗରା ଭୂଇଁ କୁ ଲୋଡା ସବୁଜ ଚାଦର

ଚିରି ଲୁଗା କାନି ଟିକେ ଲୁଚା ତା ଯୌବନ ।

ଭରି ଦେ ତା ଦେହରେ ତୁ ଜିଇ ବାର ସ୍ଵପ୍ନ ।

ଘୁଙ୍ଗୁର ପିନ୍ଧାଇ ଗୋଡରେ ତାହାର

ବସିଥିବ ନାଚିବାକୁ ଶରତ ସଙ୍ଗୀତ ।

ସଜାଇବ ଘର ତାର ଦେଖି ତୋର ବାଟ ,

ପରବ ପର୍ବାଣୀ କରି ଗାଇବ ତୋ ଗୀତ ।

 

ତୋ ପାଇଁ ଏ ସବୁ ପିଲା ଘର ଖେଳ ,

ହସ କାନ୍ଦ,ସୁଖ ଦୁଖ, ପ୍ର୍ରେମ ବା ବୀରହ ,

ଛାତିକୁ ତୋ ଦିଏ ନା ଫରକ ।

ମାଟିର କଣ୍ଢେଇ ଏଠି ରକ୍ତ ମାଂସ ଦେହ ,

ବୁଝେନ ସେ ଜୀବନର ମୂଲ ।

ଆଖିରେ ତା ଲୁହ ଦେଇ କି ବା ଲାଭ ତୋର ?

ସହଜରେ ତୋ ନୌକାରେ ବସି ,

ନା ନା ବାୟା ଗୀତ ଗାଇ ଗାଇ ,

ତୋ ବଇଁଶିର ତାଳେ ତାଳ ଦେଇ ,

ବହିଯିବେ ତୋ ପ୍ରେମ ଧାରରେ ,

ଭୁଲିଯାଇ ଜୀବନର ସମସ୍ତ ଜଞ୍ଜାଳ ।











Photo Gallery


+ -

©
Site designed,developed & maintained by Tekons